ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟ ସମଳାଇ ଗ୍ରାମ ପଞ୍ଚାୟତର ସାରସଦାଦର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ଦୁଇ ଯୁବକକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ହାତୀ ମୃତ୍ୟୁ ମାମଲାରେ ତିନି ଯୁବକଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରିବା ପରେ ସାରସଦାଦର ଗାଁର ଦୁଇଜଣ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।
ବନ ବିଭାଗ ଏମାନଙ୍କ ପାଖରୁ 9 କେଜି ଖୋଲା ବିଦ୍ୟୁତ ତାର ଜବତ କରିଛି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଯାଲୋଏ ଫରେଷ୍ଟର ଜନାର୍ଦ୍ଦନ ସ୍ବାଇଁ ଓ କୋଟ ସମଳାଇ ବନରକ୍ଷୀ ପ୍ରଜ୍ଞା ପରାମିତା ମିଶ୍ରଙ୍କୁ ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ନିଲମ୍ବିତ କରିଛନ୍ତି । ଜଙ୍ଗଲରେ ଏହି ଦୁଇ ଅଭିଯୁକ୍ତ ବିଦ୍ୟୁତ ତାର ବିଛାଇ ହାତୀଟିକୁ ଶୀକାର କରିଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇ ଦାନ୍ତ କାଟି ନେଇ ଯାଇଥିଲେ।
ସୂଚନା ଥାଉକି, ସାରସଦାଦର ଗାଁର ରବି ଧାରୁଆ ଓ ଲକ୍ଷ୍ମଣ ପଟ୍ଟା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଥିବା ବନ ବିଭାଗ ତଦନ୍ତରୁ ଜାଣିପାରିଛି । କେହି ଦୁର୍ବୃତ୍ତ ହାତୀଟିକୁ ଶିକାର କରିଥିବା ସନ୍ଦେହ କରାଯାଉଥିଲା, ଯାହା ସତ ହୋଇଥିବା ବନ ବିଭାଗ ତଦନ୍ତରୁ ଜାଣିପାରିଛି । ମୃତ ହାତୀ ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ପଡ଼ିଥିବାରୁ ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ମୃତ ହାତୀର ଦାନ୍ତ ବନ ବିଭାଗ ଜବତ କରିଥିବା ଜଣାପଡ଼ିଛି । ଜଙ୍ଗଲୀ ଜନ୍ତୁ ଶୀକାର ପାଇଁ ଆହୁରି ଅନେକ ଏହି ଘଟଣାରେ ସମ୍ପୃକ୍ତି ଅଛନ୍ତି ବୋଲି ବନ ବିଭାଗ ସନ୍ଦେହ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ