ସୁବର୍ଣ୍ଣପୁର: କାଳ ସାଜିଲା ବ୍ରଜପାତ । ସୁବର୍ଣ୍ଣପୁର ଜିଲ୍ଲାରେ ବଜ୍ରପାତରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତିନି ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଅପରାହ୍ନ ସମୟରେ ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁରେ ବ୍ରଜପାତରେ ବଡ ଅଘଟଣ ଘଟିଯାଇଛି । ବଜ୍ରପାତରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ତିନି ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର ଦିନ ଅପରାହ୍ନ ସମୟରେ କୋଟସମଲାଇ ଗାଁର ଚାଷ ଜମିରେ କିଛି ମହିଳା କାମ କରୁଥିଲେ । ଏହି ସମୟରେ ଝିପି ଝିପି ବର୍ଷା ସହ ବିଜୁଳି ଓ ଘଡଘଡି ଆରମ୍ଭ ହୋଇଥିଲା । ମହିଳାମାନେ କାମ ଛାଡି ବିଲରୁ ବାହାରିବା ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ ଜଣେ ସଂଜ୍ଞା ହୀନ ହୋଇଯାଇଥିବା ବେଳେ 3 ଜଣ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ ।
ସମସ୍ତଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା l ଡାକ୍ତର ସଂଜ୍ଞା ହୀନ ହୋଇଯାଇଥିବା ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ତିନି ଜଣ ଗୁରୁତର ମହିଳାଙ୍କୁ ଉଲୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନେ ବେଶ ଭୟଭୀତ ହୋଇ ପଡିଥିବା ଦେଖିବାକୁ ମିଳିଛି ।
ମୃତ ମହିଳା ଜଣକ ସେହି ଗାଁର ସୁବାସିନୀ ନାଏକ ବୋଲି ଜଣାପଡ଼ିଛି l ଗୁରୁତରମାନେ ହେଲେ ରାସେଶ୍ୱରୀ ଖୁଣ୍ଟିଆ, ମଞ୍ଜୁ ଖୁଣ୍ଟିଆ ଓ ଟାହିଲା ପଧାନ l ତେବେ କ୍ଷଣିକ ଭିତରେ ଏଭଳି ଅଘଟଣ ସମସ୍ତଙ୍କୁ ଆଚମ୍ୱିତ କରିଛି । ଅନ୍ୟପଟେ ସୁବାସିନୀ ନାୟକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
ଏହାମଧ୍ୟ ପଢନ୍ତୁ.. ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଦୁଇ ଚାଷୀ ମୃତ, ୮ ଗୁରୁତର
ଏହାମଧ୍ୟ ପଢନ୍ତୁ..Lightning Strike; ରାଜ୍ୟରେ ବଜ୍ରାଘାତରେ 12 ମୃତ, ମୃତକଙ୍କ ପରିବାରକୁ ମିଳିବ 4 ଲକ୍ଷ
ସେହିଭଳି ବଲାଙ୍ଗୀର ଜିଲ୍ଲାରେ ସେପ୍ଟେମ୍ବର 2 ତାରିଖ ଦିନ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ 2 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 8 ଜଣ ଆହତ ହୋଇଥିଲେ । ବିଲରେ କାମ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ବ୍ଲକ କୁଟାସିଂହା ଗ୍ରାମର ଚାଷୀ ସୁରେନ୍ଦ୍ର ପାତ୍ରଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିଲା । ସେହିଭଳି ଦେଓଗାଁ ବ୍ଲକ ଚନ୍ଦ୍ରପୁର ଗ୍ରାମର ଚାଷୀ ଅରବିନ୍ଦ ଭୋଇ ହଳ ନେଇ କ୍ଷେତକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କ ମୃତ୍ୟୁ ହୋଇଥିଲା । ଆଗଲପୁର ବ୍ଲକ ବୁରୋ ମୁଣ୍ଡା ଗ୍ରାମର କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଯେଉଁଥିରେ 8 ଜଣ ମହିଳା ଆହତ ହୋଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର