ସମ୍ବଲପୁର: ଜିଲ୍ଲାର ଯୁଜୁମୁରା ଥାନା ଅନ୍ତର୍ଗତ ଝାଡୁମୁଣ୍ଡା ଗ୍ରାମରେ ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଭେଟିଛନ୍ତି ଗ୍ରାମବାସୀ । ଗତ କିଛି ଦିନ ତଳେ ବନ୍ୟଜନ୍ତୁ ଶିକାରୀମାନେ ସ୍ଥାନୀୟ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଥିଲେ, ଉକ୍ତ ଘଟଣାରେ ପୋଲିସ 13ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ, ଝାଡୁମୁଣ୍ଡା ଗ୍ରାମର ନିଳାମ୍ବର ବନଛୋର ନାମକ ଜଣେ 24 ବର୍ଷୀୟ ଯୁବକଙ୍କୁ ଗତ କିଛି ଦିନ ତଳେ ବନ୍ୟଜନ୍ତୁ ଶିକାରୀମାନେ ନିଜ ଅପରାଧକୁ ଲୁଚାଇବା ପାଇଁ ଉକ୍ତ ଯୁବକଙ୍କ ଗଳା କାଟି ହତ୍ୟା କରିଥିଲେ । ତେବେ ମୃତକଙ୍କ ସଂପର୍କୀୟ ବର୍ତ୍ତମାନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ମୃତକଙ୍କ ପତ୍ନୀ ସହ ତାଙ୍କର ଏକ 6 ମାସର ଶିଶୁ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ଏହି ପରିବାରକୁ କିଛି ଆର୍ଥିକ ସହାୟତା ଦେବା ସହ ତାଙ୍କର ଥଇଥାନର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଜିଲ୍ଳାପାଳଙ୍କୁ ଭେଟି ଲିଖିତ ଭାବେ ସହାୟତା ପାଇଁ ଦାବି କରିଛନ୍ତି । ସରକାରୀ ଯୋଜନାରେ ବାସଗୃହ ସହ ଭତ୍ତାର ବ୍ୟବସ୍ଥା ଏବଂ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିବା ସୂଚନା ମିଳିଛି ।
ତେବେ ଜିଲ୍ଲାପାଳ ମୃତକଙ୍କ ପରିବାରର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ପରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ