ସମ୍ବଲପୁର: ସମ୍ବଲପୁର ସଦର ଥାନା ପୋଲିସ ଏକ ଚମଡ଼ା ବୋଝେଇ ଟ୍ରକ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର ସହର ମଧ୍ୟରୁ ବାହାରି ଦେବଗଡ଼ ରାସ୍ତାରେ ଯାଉଥିବା ସମୟରେ ଗତ ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳରେ କାଦୁଅରେ ଫସି ଯାଇଥିଲା । ଏହାକୁ ଦେଖି କେତେକ ସ୍ଥାନୀୟ ଯୁବକ ଟ୍ରକ ପାଖକୁ ଯିବା ପରେ ଟ୍ରକରେ ଥିବା ବହୁ ପରିମାଣର ପଶୁ ଚମଡ଼ାକୁ ଦେଖି ସନ୍ଦେହ କରିଥିଲେ।
ଏହି ଖବର ପାଇବା ପରେ ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ, ବଜରଙ୍ଗ ଦଳର ସଦସ୍ୟ ମାନେ ତଥା ସମ୍ବଲପୁର ବିକାଶ ମଞ୍ଚର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଥାନାକୁ ନେଇ ଚମଡା ଜବତ କରିବା ସହ ଡ୍ରାଇଭରକୁ ପଚରା ଉଚରା କରୁଛି। ତେବେ ଏହା କେଉଁ ଚମଡା ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ କହିଥିବା ବେଳେ ଜିଲ୍ଲା ବିଜେପି ,ବଜରଙ୍ଗ ଦଳ ଓ ସମ୍ବଲପୁର ବିକାଶ ମଞ୍ଚ ପକ୍ଷରୁ ଏହା ଗୋଚମଡା ବୋଲି ସନ୍ଦେହ କରାଯାଉଛି । ଏହା ସହ ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ