ସମ୍ବଲପୁର: ଜିଲ୍ଲାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା ରବିବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଯାଇଛି । ଲକଡାଉନ ଥିବାରୁ ଅତି ନିରାଡ଼ମ୍ବର ଭାବେ ସୀମିତ ଲୋକଙ୍କ ମଧ୍ୟରେ ଏହି ପରମ୍ପରା ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଯାତ୍ରା କମିଟି ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରାର କନ୍ୟାର ପିତାମାତା କିଏ ହେବେ ତାହା ଏହି ଅକ୍ଷୟ ତୃତୀୟା ତିଥିରେ ହିଁ ଚୟନ କରାଯାଇଥାଏ ।
ବିଧିପୂର୍ବକ ପୂଜାର୍ଚ୍ଚନା ପରେ ଚୟନ ହୋଇଥିବା କନ୍ୟା ପିତାମାତାଙ୍କୁ ଏକ ଥାଳ ଦିଆଯାଇଥାଏ । ଆଉ ଏହି ଦିନରୁ ଦେବ ଦମ୍ପତିଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ନନ୍ଦପଡା ଯାତ୍ରା କମିଟିର କନ୍ୟା ପିତାମାତା ଭାବେ ସୁକାନ୍ତ ବିଶି ଓ ରିଙ୍କି ବାବୁ, ଝାଡୁଆପଡାର କନ୍ୟା ପିତାମାତା ଭାବେ କିଶୋର କୁମାର ଷଡ଼ଙ୍ଗୀ ଓ ବିଜୟିନୀ ଷଡ଼ଙ୍ଗୀ, ମୁଦୀପଡାର କନ୍ୟା ପିତାମାତା ଭାବେ ଅଭିରାମ ପଟେଲ ଓ ସୌଭାଗିନୀ ପଟେଲ ଓ ବଡ଼ ବଜାର ଯାତ୍ରା କମିଟିର କନ୍ୟା ପିତାମାତା ଭାବେ ଭାବେଶ ଚାନ୍ଦ ଓ ରଶ୍ମି ଚାନ୍ଦ ଚୟନ ହୋଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ