ସମ୍ବଲପୁର: କୋଭିଡ-19 ପାଇଁ ଏବେ ସାରା ଦେଶ ଲକଡାଉନ । ସମ୍ବଲପୁର ସହରରେ ମଧ୍ୟ ସହରବାସୀଙ୍କ ପୂର୍ଣ୍ଣ ସମର୍ଥନ ସହ ଚାଲିଛି ଲକଡାଉନ । ହେଲେ ଏବେ ମଧ୍ୟ କିଛି ଲୋକ ସଡ଼କରେ ବିଭିନ୍ନ ବାହାନା ନେଇ ବୁଲୁ ଥିବାର ଦେଖିବାକୁ ମିଳୁଛନ୍ତି। ତେବେ ଗ୍ରାମାଞ୍ଚଳର ରାଜରାସ୍ତା ହେଉ କି ସାଧାରଣ ସଡକ, ସବୁ ଖାଁ ଖାଁ।
ସମ୍ବଲପୁର-କଟକ 55 ନଂ ରାଜପଥ ଏବେ ପୁରା ଖାଲି। ଚାରିଆଡେ କର୍ଫ୍ୟୁ ପରିସ୍ଥିତି। ଯେଉଁ ସଡ଼କରେ ସବୁବେଳେ ଜନ ଗହଳି ଓ ହଜାର ହଜାର ଗାଡି ଯାତାୟତ କରୁଥିଲା ସେହି ସଡ଼କ ଆଜି କୋରୋନା ପାଇଁ ପୁରା ଖାଲି ହୋଇଯାଇଛି। ଏହି ରାସ୍ତା ହେଉଛି ସମ୍ବଲପୁର-କଟକ ରାସ୍ତାର ମାନେଶ୍ବର ଛକ ଅଞ୍ଚଳର ଦୃଶ୍ୟ। ଏହି ଅଞ୍ଚଳରେ କୋରୋନାକୁ ନେଇ ଲୋକଙ୍କ ମନ ଭିତର ଭୟ କୁହନ୍ତୁ ବା ସଚେତନତା, ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି।
କେବଳ କେତେକ ଫଳ ଦୋକାନକୁ ଛାଡି ଦେଲେ କୌଣସି ଦୋକାନଟିଏ ମଧ୍ୟ ଖୋଲା ନାହିଁ। ଏହି ପରିପ୍ରେକ୍ଷୀରେ ଏହା ପ୍ରମାଣିତ ହେଉଛି ଯେ କୋରୋନା ସତର୍କତା ନେଇ ଗ୍ରାମାଞ୍ଚଳରେ ଲୋକେ ସହରବାସୀଙ୍କ ଠାରୁ ଅଧିକ ଆଗରେ ଅଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ