ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ବହୁ ଶିଳ୍ପ ଅନୁଷ୍ଠାନ ରହିଛି । ଏହି ସ୍ଥାନରେ ଜିଲ୍ଲା ତଥା ରାଜ୍ୟ ବାହାରର ବହୁ ଲୋକ ରହୁଥିବା ବେଳେ ପ୍ରତ୍ୟେକ ଦିନ ଲୋକେ ଯାତାୟତ ପାଇଁ ମୁଖ୍ୟତଃ ଟ୍ରେନ ଉପରେ ନିର୍ଭର କରନ୍ତି। ତେବେ କୋଭିଡ କଟକଣା ଲାଗିବା ପରେ ରେଙ୍ଗାଲି ଷ୍ଟେସନରେ ଅଟକୁଥିବା ୬ଟି ଟ୍ରେନ ଏବେ ଏଠାରେ ଅଟକୁ ନାହିଁ। ଏଭଳି ପରିସ୍ଥିତିରେ ଏହି ଟ୍ରେନ ଗୁଡିକ ଅଟକୁ ନଥିବାରୁ ସ୍ଥାନୀୟ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ବିଧାୟକ କହିଛନ୍ତି।
ତେଣୁ, ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ବାଭାବିକ ହେଉଥିବା ବେଳେ କୋଭିଡ ପୂର୍ବରୁ ଯେଉଁ ୬ଟି ଟ୍ରେନ ଏହି ଷ୍ଟେସନରେ ଅଟକୁଥିଲା ସେହି ଟ୍ରେନ ଗୁଡ଼ିକର ପୁନଃ ରହଣି ଦାବି କରିଛି ରେଙ୍ଗାଲି ବେଜେପି ମଣ୍ଡଳ। ପୂର୍ବରୁ ଏହି ସମସ୍ୟା ନେଇ ଡିଅରଏମଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ସମ୍ବଲପୁର ସାଂସଦ ମଧ୍ୟ ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ, ଆଜି ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆସନ୍ତା ୧୮ ତାରିଖରେ ଏହି ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖରେ ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଟ୍ରେନ ରୋକୋ କରାଯିବ ବୋଲି ସୂଚନା ଦିଆଯାଇଛି ।
ଧାନବାଦ-ଏଲଏପି ଏକ୍ସପ୍ରେସ, ପୁରୀ-ହଟିଆ ସ୍ପେଶାଲ, ହାୱାଡା-ଟିଟଲାଗଡ଼ ସୁପର ଫାଷ୍ଟ ଏକ୍ସପ୍ରେସ, ରାଉରକେଲା-ଗୁଣୁପୁର-ରାଉରକେଲା, ସମ୍ବଲପୁର-ଜାମ୍ବୁ ତାବି, ଡିଏମୟୁ-ସମ୍ବଲପୁର ଆଦି ଟ୍ରେନ ରହଣି ପାଇଁ ରେଙ୍ଗାଲି ବିଜେପି ମଣ୍ଡଳ ଦାବି କରିଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ