ସମ୍ବଲପୁର : ଆସନ୍ତା କାଲି(ରବିବାର) ଠାରୁ ଖୋଲିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । ଏହାର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଏନେଇ ଆଜି(ଶନିବାର) ସମ୍ବଲପୁର ଜିଲ୍ଳାପାଳ ଶୁଭମ ସକ୍ସେନା ଓ ଏସପି ବି. ଗଙ୍ଗାଧର ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।
ଜାନୁଆରୀ 3 ତାରିଖରୁ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ସକାଳ 6ଟାରୁ ପୂର୍ବାହ୍ନ ସାଢେ଼ 11ଟା ଓ ଅପରାହ୍ନ 3ଟାରୁ ସାଢ଼େ 7ଟା ଯାଏଁ ମନ୍ଦିର ଖୋଲା ରହିବ । ଅନ୍ୟ ସମୟରେ ମନ୍ଦିରକୁ ବିଶୋଧନ କରାଯିବ ।
ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଓ ସେମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ ମଧ୍ୟ କରାଯିବ । ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ତେବେ ପ୍ରଥମ 5 ଦିନ କେବଳ ସମ୍ବଲପୁରବାସୀ ମା’ଙ୍କୁ ଦର୍ଶନ କରିପାରିବେ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ନିଜର ପରିଚୟ ପତ୍ର ଦେଖେଇବାକୁ ପଡିବ । ତେବେ 10 ବର୍ଷରୁ କମ ଓ 65 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମନ୍ଦିରକୁ ନ ଆସିବାକୁ କୁହାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ