ସମ୍ବଲପୁର: ପୁଣି ଆସିଛି, ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ବାହାକ ଏହି ଗଣପର୍ବ ପାଇଁ ଏବେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ଆଉ ଏଥିରୁ ବାଦ ପଡିନି ଐତିହାସିକ ସମ୍ବଲପୁର ସହର । ନୂଆଁଖାଇକୁ ଆଉ ମାତ୍ର 2 ଦିନ ବାକି ରହିଥିବା ବେଳେ ଏବେ ସମସ୍ତେ କିଣାକିଣିରେ ବ୍ୟସ୍ତ ।
ନୂଆଁଖାଇ ପାଇଁ ଏବେଠୁ ଉତ୍ସବ ମୁଖର ସମ୍ବଲପୁର । ସହରକୁ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଗୋଲବଜାର ମାର୍କେଟରେ ଏହା ପ୍ରତିଫଳିତ ହେଉଛି । ନୂଆଁଖାଇ ପାଇଁ ସମସ୍ତେ କିଣାକିଣିରେ ବ୍ୟସ୍ତ । କିଏ ନୂଆ ଚାଉଳ,ଧାନ ଆଉ ଚୂଡ଼ା କିଣିବାରେ ବ୍ୟସ୍ତ ତ କିଏ ପୂଜା ସାମଗ୍ରୀ ଓ ଫଳମୂଳ କିଣିବାରେ ବ୍ୟସ୍ତ । ଅନ୍ୟପଟେ ନୂଆଁଖାଇରେ ପରିବାରର ସମସ୍ତ ସଦସ୍ୟ ନୂଆ କପଡା ପିନ୍ଧିବାର ପରମ୍ପରା ଥିବାରୁ ଏବେ ଡ୍ରେସ ଓ ଶାଢ଼ୀ ଦୋକାନରେ ଜମିଛି ଭିଡ ।
ନୂଆଁଖାଇରେ କେବଳ ସହରର ଦୋକାନ ବଜାର ନୁହେଁ ଗ୍ରାମାଞ୍ଚଳରେ ଉଠାଦୋକାନୀ ମାନେ ଦି ପଇସା ଭଲ ରୋଜଗାରର ଅବସର ମଧ୍ୟ ପାଇଛନ୍ତି । ମୁଖ୍ୟତଃ ଗ୍ରାମାଞ୍ଚଳରେ ନୂଆଁଧାନ, ଚାଉଳ, ଚୂଡ଼ା, ରାକ୍ଷୀ ଭଲ ଦରରେ ବିକ୍ରି ହେଉଛି । ନୂଆଁ ଚାଉଳ କିଲୋପ୍ରତି 200 ଟଙ୍କା ପର୍ଯ୍ୟନ୍ତ ଥିବାର କହିଛନ୍ତି ବ୍ୟବସାୟୀ ମାନେ । ନୂଆଁଖାଇର ପରମ୍ପରା କେବଳ ଏକ ପର୍ବ ନୁହେଁ ଏହା ବଡ଼ ମାନଙ୍କୁ ସମ୍ମାନ ଓ ପ୍ରକୃତି ପୂଜାର ସନ୍ଦେଶ ଦେଇଥାଏ ବୋଲି ବିଶ୍ବାସ ରହିଆସିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ