ସମ୍ବଲପୁର: ମୋ ସରକାର ଓ 5ଟି ଭଳି ମେଗା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ମାତ୍ର ରାସ୍ତା ଅଭାବରୁ ଗର୍ଭବତୀ ମହିଳା ବୁହା ହେବା ଭଳି ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଦୋଭାୟା ଗ୍ରାମର ଏହି ଘଟଣା । ଗ୍ରାମକୁ ଭଲ ରାସ୍ତା ନଥିବାରୁ ମହିଳାଙ୍କୁ ଦୀର୍ଘ 2 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାଯାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି ଏବଂ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଦୋଭାୟା ଗ୍ରାମର ରଞ୍ଜିତ ମାଝୀଙ୍କ ଗର୍ଭବତୀ ସ୍ତ୍ରୀ ଯୋଶୀ ମାଝୀ ରାତି 2ଟା ସମୟରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପରିବାର ଲୋକେ ମହିଳାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ମାତ୍ର ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଯାହାଫଳରେ ଗର୍ଭବତୀଙ୍କ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଖଟରେ ବୋହି 2 କିମି ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଗ୍ରାମଟି ପାହାଡ ଉପରେ ଥିବାରୁ ରାତିରେ ମହିଳାଙ୍କୁ ବୋହିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥିଲା ।
ତେବେ ଦୋଭାୟା ଗ୍ରାମର ଏହା ଗୋଟିଏ ଘଟଣା ନୁହେଁ, ଗାଁର ପ୍ରତ୍ୟେକ ପରିବାର ସମାନ ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ