ସମ୍ବଲପୁର: ସମ୍ଵଲପୁରରେ ଅବକାରୀ ଗୁଇନ୍ଦା ବିଭାଗ କୁ ବଡ ସଫଳତା । ଧରାପଡିଲା 1 କୁଇଣ୍ଟାଲ 30 କେଜି ଗଞ୍ଜେଇ । 5 ଜଣ ଗଞ୍ଜେଇ ମାଫିଆ ଗିରଫ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 27 ଲକ୍ଷ ହେବ ବୋଲି ଅବକାରୀ ବିଭାଗର ସୂଚନା । ଦିନକୁ ଦିନ ଓଡିଶାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି ।
ନିୟମିତ ଅନ୍ତରାଳେ ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ବେଳେ ଏହା ସ୍ପଷ୍ଟ ହେଉଛି । କେତେକ ଚୋରା ଚାଲାଣକାରୀ ଗିରଫ ହେଉଥିବା ବେଳେ କେତେ ଗିରଫଦାରୀରୁ ବର୍ତ୍ତିଯାଉଥିବେ ତାହା ସ୍ପଷ୍ଟ ଭାବେ ମନା କରାଯାଇ ପାରିବନାହିଁ । ତେବେ ବର୍ତ୍ତମାନ ପୁଣି ଓଡିଶାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହାକୁ ଠାବ କରି 5ଜଣଙ୍କୁ ଗିରଫ କରାଯାଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରୁ ଝାରଖଣ୍ତକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗକୁ ଏହି ସଫଳତା ମିଳିଛି ।
ଗତକାଲି(ଗୁରୁବାର) ସମ୍ବଲପୁର ଝାରସୁଗୁଡା ରାସ୍ତାର ଶାସନ ଟୋଲ ଗେଟ ନିକଟରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ 2ଟି କାର ରୁ 1 କ୍ୱିଣ୍ଟାଲ 30 କେଜି ଗଞ୍ଜେଇ ଜବତ କରିଛି । ଏହି ମାମଲାରେ 5 ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ ହୋଇଛନ୍ତି । 3 ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ଓ 2 ଜଣ ଅଭିଯୁକ୍ତ ଝାଡଖଣ୍ତର ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।
ଏମାନେ ପୂର୍ବରୁ ମଧ୍ୟ ଓଡିଶାରୁ ଝାଡଖଣ୍ତକୁ କାରରେ ଚତୁରତାର ସହ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି । ତେବେ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଚେର ପର୍ଯ୍ୟନ୍ତ ପହଞ୍ଚିବା ନେଇ ତଦନ୍ତ ଜାରୀ ରଖିଥିବା ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର କୁମାର ବୋତ୍ରା କହିଛନ୍ତି ।
ସୂଚନା ଯୋଗ୍ୟଯେ ଗତ ଜାନୁଆରୀ 14 ରେ ମଧ୍ୟ ଶାସନ ଟୋଲ ଗେଟ ନିକଟରୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 6 ଗିରଫ ହୋଇଥିବା ବେଳେ 3ଟି କାର ସହ ପ୍ରାୟ ଦେଢ଼ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା ।
ଇଟିଭି ଭାରତ, ସମ୍ବଲପୁର