ସମ୍ବଲପୁର: ଜମି ହରାଙ୍କୁ ମିଳିନାହିଁ କ୍ଷତି ପୂରଣ , ଶେଷରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଜିଲ୍ଲା ଜମିହରା । ରେଙ୍ଗାଲୀ ବ୍ଲକର ତଲାବିରା ଠାରେ ଏନଏଲସି ଇଣ୍ଡିଆ କମ୍ପାନୀ (NLC India Company) କୋଇଲା ଖଣି କରିଥିବା ବେଳେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଛି। ହେଲେ ଜମିହରାଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବା ଅଭିଯୋଗ ହୋଇଛି । ତେବେ ଅଧିଗ୍ରହଣ ବେଳେ ଅର୍ଥ ଏବେ କମ୍ପାନୀରେ ଚାକିରୀ ଦେବା ପାଇଁ କମ୍ପାନୀ ତରଫରୁ ପ୍ରତିଶୃତି ମିଳିଥିଲେ ସୁଦ୍ଧା ତାହା ଆଜିପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ଫଳରେ ଏନେଇ ସମ୍ବଲପୁର ଜିଲ୍ଲାପାଳ, ଉତ୍ତରାଞ୍ଚଳ ଆରଡ଼ିସି , ସମ୍ବଲପୁର ଏସ ପିଓ କମ୍ପାନୀ କତ୍ତୃପକ୍ଷ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ତଲାବିରା ବୁଦ୍ଧିଆପାଲି ଗାଁର କ୍ଷୀରୋଦ ଚନ୍ଦ୍ର ପ୍ରଧାନ।
କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ହେଉଥିବା ସମୟରେ ସେ ନିଜର 3 ଏକର 14 ଡ଼ିସିମିଲ ଜମି ହରାଇଛନ୍ତି। କିନ୍ତୁ ତାଙ୍କୁ 14 ଡ଼ିସିମିଲ ଜମିର କ୍ଷତିପୂରଣ ମିଳିଥିବା ବେଳେ ବଳକା 3 ଏକର ଜମିର ରାଶି ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ କମ୍ପାନୀ କତ୍ତୃପକ୍ଷ ରେଙ୍ଗାଲୀ ତହସିଲ ଅଫିସରେ ଯେଉଁ ଏଗ୍ରିମେଣ୍ଟ କରିଥିଲେ ସେଇ ହିସାବରେ ଚାକିରୀ ମଧ୍ୟ ଦେଇନଥିବା ସେ କହିଛନ୍ତି।
ଅନ୍ୟପଟେ କ୍ଷୀରୋଦ ଯେଉଁ ଚାଷଜମି ରେ ଧାନ ଚାଷ କରିଥିଲେ ବର୍ତ୍ତମାନ ସେହି ଜମିର ଅମଳ ହୋଇଥିବା ଧାନ କୁ ମଧ୍ୟ ସେ ବିକ୍ରି କରି ପାରୁନଥିବା ସେ ଅଭିଯୋଗ କରିଛନ୍ତି। ସେ ଚାଷ କରିଥିବା ଜମିର ଧାନ ପାଇଁ ତାଙ୍କୁ ଟୋକନ ମିଳିପାରୁନଥିବାରୁ ବର୍ତ୍ତମାନ ସେ 120 ବସ୍ତା ଧାନ ବିକ୍ରି କରି ପାରୁନାହାନ୍ତି ।କମ୍ପାନୀ କତ୍ତୃପକ୍ଷ ଙ୍କ ଯୋଗୁ ତାଙ୍କୁ ଏହି ଧାନ ବିକ୍ରି ଟୋକନ ମିଳିପାରିନାହିଁ ବୋଲି କହିଛନ୍ତି।
ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ