ସମ୍ବଲପୁର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ଟ୍ରାଫିକ ପୋଷ୍ଟ ଓ ପୋଲିସ ଦେଖିଲେ ଲୋକେ ଭୟଭୀତ ହେଉଛନ୍ତି। କାରଣ ଗାଡିର କୌଣସି କାଗଜ ପତ୍ର ନଥିଲେ ଲୋକଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଫାଇନ। ଏପରି ଏକ ଭୟର ବାତାବରଣରେ ଲୋକଙ୍କୁ ସଚେତନ ଓ ସୁରକ୍ଷା ଦେବା ପାଇଁ ସମ୍ବଲପୁର କ୍ଷେତରାଜପୁର ଥାନାର ମହିଳା ଥାନା ଅଧିକାରୀ ମମତା ନାୟକଙ୍କ ନିଆରା ପ୍ରୟାସ। ମମତା ଲୋକଙ୍କୁ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ପାଇଁ ମାଗଣାରେ ହେଲମେଟ ବାଣ୍ଟିଛନ୍ତି।
ତେବେ ଲୋକଙ୍କ ମନରୁ ପୋଲିସର ଭୟ ଦୂର କରିବା ସହ ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ଲୋକଙ୍କୁ ଏପରି ହେଲମେଟ ବଣ୍ଟାଯାଇଥିବାର ସୂଚନା ଦେଇଛନ୍ତି କ୍ଷେତରାଜପୁର ଥାନାର ମହିଳା ଥାନା ଅଧିକାରୀ ମମତା। ଏନେଇ ଆଜି କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆ ପଡିଆ ନିକଟସ୍ଥ LIC ଛକରେ ପୋଲିସ ପକ୍ଷରୁ ହେଲମେଟ ଚେକିଂ କରାଯାଉଥିଲା।
ଏହି ସମୟରେ ଯେଉଁ ମାନେ ବିନା ହେଲମେଟରେ ବାଇକ୍ ଚଳାଉଥିଲେ ସେମାନଙ୍କୁ ପୋଲିସ ଧରିଥିଲେ ହେଲେ କୌଣସି ଫାଇନ କରିନଥିଲେ। ଓଲଟା ପୋଲିସ ତାଙ୍କୁ ଟ୍ରାଫିକ ନିୟମ ବୁଝାଇବା ସହ ଗୋଟିଏ ଗୋଟିଏ ହେଲମେଟ ମାଗଣା ଦେଇଥିଲେ।
ଆଗକୁ ଗାଡ଼ି ଚଳାଇବା ସମୟରେ ଯେମିତି ହେଲମେଟ ପିନ୍ଧିବେ ସେନେଇ ପୋଲିସ ସଚେତନ କରିଥିଲା। ଆଜି ଏହି ଚେକିଙ୍ଗ କରାଯାଇଥିବା ବେଳେ ପୋଲିସ ପକ୍ଷରୁ 30 ଜଣକୁ ହେଲେମେଟ ମାଗଣାରେ ଦିଆଯାଇଥିଲା। ମହିଳା ଥାନା ଅଧିକାରୀଙ୍କ ଏହି କାର୍ଯ୍ୟକୁ ଏବେ ସବୁଆଡେ ପ୍ରସଂଶା କରାଯାଇଛି।
ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ