ସମ୍ବଲପୁର: ଓଡିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ମିମାଂଶା ରଥ। ଅପେରା ମିସ ଇଣ୍ଡିଆ ୨୦୨୧ ର ପ୍ରଥମ ରନର୍ସ ଅପ ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସମ୍ବଲପୁର ଝିଅ ମିମାଂସା।
ସେ ସମ୍ବଲପୁର ସ୍ଥିତ ଅଇଁଠାପାଲି ବାସିନ୍ଦା ଅବସରପ୍ରାପ୍ତ ରିଡର ଆରକେ ରଥ ଓ କାମିନୀ ରଥଙ୍କ କନ୍ୟା। ଅନଲାଇନରେ ଆୟୋଜିତ ଅପେରା ମିସ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ୨୦୦ ରୁ ଅଧିକ ଜଣ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଫାଇନାଲରେ ପହଞ୍ଚି ପ୍ରଥମ ରନର୍ସ ଅଫ ହୋଇଛନ୍ତି।
ସେଠାରେ ଉପସ୍ଥିତ ସୋ' ର ମୁଖ୍ୟ ଅନୁଜ ତଥା ନିର୍ଦ୍ଦେଶିକା ମୋନିକା ସମସ୍ତେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିବାବେଳେ ଜଜ୍ ମାନେ ମଧ୍ୟ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ମିମାଂଶା ଏକାଧାରରେ ଜଣେ ସଙ୍ଗୀତଜ୍ଞ, ୟୁ ଟ୍ୟୁବର, ଉଦଘୋଷିକା ହେଲେ ମଧ୍ୟ ମଡେଲିଙ୍ଗ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିବା କହିଛନ୍ତି।
ସେ ନିଜର ଦକ୍ଷତାରେ ତିନୋଟି ସୁନ୍ଦରୀ ପ୍ରତିଯୋଗିତା ଯଥାକ୍ରମେ-ଅପେରା ମିସ ଇଣ୍ଡିଆରେ ପ୍ରଥମ ରନର୍ସ ଅଫ ଓ ମିସ ଡାଇମଣ୍ଡ କୁଇନ, ମିସ ଡ୍ରିମ ସମ୍ବଲପୁରରେ ରନର୍ସ ଅଫ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଓଡିଶା ପାଇଁ କିଛି କରିବାର ସ୍ବପ୍ନ ଦେଖିଥିବା ମିମାଂଶା କେବେ ପଛକୁ ନହଟି ଫ୍ୟାସନ ଇଣ୍ଡଷ୍ଟ୍ରିରେ କିଛି ନୂଆ କରିବା ପାଇଁ ସଂକଳ୍ପ ନେଇଛନ୍ତି।
ଓଡିଶାର ଝିଅମାନଙ୍କୁ ଅଧିକ ସୁଯୋଗ ମିଳିଲେ ସେମାନେ ବିଶ୍ବସ୍ତରରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ତାଙ୍କ ଆଶା। ତାଙ୍କ ସଫଳତା ପଛରେ ତାଙ୍କ ପିତାମାତାଙ୍କ ସମ୍ପୂର୍ଣ୍ଣ ରୂପେ ଅବଦାନ ରହିଛି ବୋଲି ସେ କହିଛନ୍ତି। ପୁରା ସମ୍ବଲପୁର ତାଙ୍କ ବିଜୟରେ ତାଙ୍କୁ ଅଭିନନ୍ଦନ ଜଣାଇଥିବା କହିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ