ସମ୍ବଲପୁର: ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଦେବ୍ରୀଗଡ଼ ଓ ଖିଣ୍ଡା ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ସମେତ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା ଗ୍ରାମ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ର ପତ୍ର ଲେଖିବା ପରେ ଏହି ଦୁଇଟି ସ୍ଥାନକୁ ଭାରତ ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନା ୨.୦ରେ ସାମିଲ କରାଯାଇଛି ।
ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ବଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ସମେତ ଦେଶର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସମ୍ବଲପୁର ସ୍ଥିତ ଜନ୍ମମାଟି ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିବା ପରେ ଏହା ସମ୍ଭବ ହୋଇପାରିଛି ।
ଏହା ବି ପଢନ୍ତୁ- ସୁରେନ୍ଦ୍ର ସାଏଙ୍କ ଗାଁ ହେବ ଆଦର୍ଶ ଗାଁ: ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗତ ଡିସେମ୍ବର ୧୧, ୨୦୨୩ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଦେବ୍ରୀଗଡ଼ ଓ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ସୁବିଧାର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ । ସେ ପତ୍ରରେ ଦର୍ଶାଇଥିଲେ ଯେ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ ପଶ୍ଚିମ ଓଡ଼ିଶାର ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବନବିଭାଗ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ସେହିପରି ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସ୍ବଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ସମଗ୍ର ଭାରତବର୍ଷରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବଢାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।
ଉକ୍ତ ଦୁଇଟି ଐତିହାସିକ ସ୍ଥାନ ଅପାର ସମ୍ଭାବନାର ଅଞ୍ଚଳ । ଏହାର ପାର୍ୱ୍ବବର୍ତ୍ତୀ ଅଞ୍ଚଳଗୁଡିକରେ ହୀରାକୁଦ, ହୁମା ମନ୍ଦିର ଭଳି ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ସମ୍ବଲପୁର ଜିଲ୍ଲା ଦେଶ ଏବଂ ଦେଶ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଯଥାର୍ଥ ସମ୍ଭାବନା ରଖୁଛି । ସେହିପରି ଖିଣ୍ଡା ହେଉଛି ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ । ୧୮୫୭ ମସିହା ବ୍ରିଟିଶ ବିରୋଧୀ ଲଢେଇରେ ସୁରେନ୍ଦ୍ର ସାଏ ନେତୃତ୍ବ ନେଇଥିଲେ ଏବଂ ୪୦ ବର୍ଷ ଧରି ଅଧିକ ସମୟ ଜେଲରେ ବନ୍ଦୀ ହୋଇ ରହିଥିଲେ । ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ନାମିତ କରି ଏହି ମହାନ ସଂଗ୍ରାମୀଙ୍କୁ ସମ୍ମାନ ଦେଇଛନ୍ତି ।
ଏହା ବି ପଢନ୍ତୁ- ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ବିକାଶ, ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସେ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଏହି ଗ୍ରାମର ବିକାଶ ହେଲେ ତାଙ୍କ ଜନ୍ମସ୍ଥାନକୁ ଆସି ଲୋକମାନେ ଏହି ବୀର ସଂଗ୍ରାମୀଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ଜାଣିପାରିବେ । କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳର ଐତିହାସିକ ପୃଷ୍ଠଭୂମି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ବିଷୟରେ ପତ୍ର ଯୋଗେ ଅବଗତ କରାଇବା ସହ ଏହି ଦୁଇଟି ସ୍ଥାନ ଗୁଡିକର ବିକାଶ ସହ ପ୍ରଚାର ପ୍ରସାର ହେଲେ ସ୍ଥାନୀୟ ଅର୍ଥନୀତି ମଜଭୁତ ହୋଇପାରିବ ବୋଲି କହିଥିଲେ । ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ଓ ଐତିହ୍ୟର ପ୍ରସାର ହୋଇପାରିବ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଥିଲେ ।
ସୂଚନା ଥାଉ କି ଗତବର୍ଷ ଅକ୍ଟୋବର ୨୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖିଣ୍ଡା ଗସ୍ତରେ ଥିବା ବେଳେ ଏହି ଗ୍ରାମର ସୌନ୍ଦର୍ଯ୍ୟକରଣ ସହ ଏହାକୁ ଏକ ଦର୍ଶନୀୟ କେନ୍ଦ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ । ଏନେଇ ଆଜି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର