ସମ୍ବଲପୁର: ଗତ ରବିବାର ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ନିକଟରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଏବେ ରାଜନୀତି ଜୋର ଧରିଛି।
ତେବେ ସମ୍ବଲପୁର ଯେହେତୁ ସ୍ବର୍ଗତ ନବ ଦାସଙ୍କ ଜନ୍ମଭୂମି ଥିଲା, ଏଠାରେ ଜିଏମ କଲେଜରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏହି ପରିସ୍ଥିତିରେ ଏବେ ସମ୍ବଲପୁରର ସାଧାରଣ ଲୋକଙ୍କ ଭିନ୍ନ ଭିନ୍ନ ମତ ଆସୁଛି ନବ ଦାସଙ୍କ ହତ୍ୟାକୁ ନେଇ ।
ନବ ଦାସଙ୍କ ହତ୍ୟା ପରେ ଏବେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି। ହତ୍ୟାର କାରଣ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ ହୋଇନଥିବା ବେଳେ ଏବେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ସାଧାରଣ ଲୋକ ନବଙ୍କ ହତ୍ୟାକୁ ବିଶ୍ୱାସ କରୁପାରୁନଥିବା ବେଳେ ଯୁବପୀଢ଼ି ଆତଙ୍କିତ। କେତେକ ଲୋକ କହୁଛନ୍ତି ଯେ ଯଦି ଜଣେ କ୍ୟାବିନେଟ ମନ୍ତ୍ରୀ ସୁରକ୍ଷିତ ନୁହେଁ ତେବେ ସାଧରଣ ଜନତା ନିଜକୁ କିପରି ସୁରକ୍ଷିତ ମନେ କରିବେ।ଏହି ହେଭିୱେଟ ନେତାଙ୍କ ହତ୍ୟା ପଛରେ ତାଙ୍କର ବ୍ୟକ୍ତିଗତ ଜୀବନର କାରଣ ଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ସେପଟେ କିଛି ସମ୍ବଲପୁରବାସୀ ଙ୍କ କହିବା କଥା ହେଲା ନବ ଦାସଙ୍କୁ ହତ୍ୟା କରାଯିବା ପଛରେ ରାଜନୈତିକ ଓ ବ୍ୟବସାୟିକ କାରଣ ରହିଛି । ରାଜନିତୀରେ ତାଙ୍କର ବୃଦ୍ଧି ପାଉଥିବା ପତିଆରା ଓ ବ୍ୟବସାୟିକ ସଫଳତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଲୋକେ ସିଧାସଳଖ କହୁଛନ୍ତି। ଗୁଳିମାଡ଼ ପରେ ଘଟିଥିବା କେତେକ ଘଟଣା ଯୋଗୁଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଲୋକେ ମତ ରଖିଛନ୍ତି।
ଅନ୍ୟପଟେ ଏନେଇ ସମ୍ବଲପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏହି ପ୍ରସଙ୍ଗ ରେ ମତ ରଖି କହିଛନ୍ତି ଯେ ସ୍ବର୍ଗତ ନବ କିଶୋର ଦାସ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ରାଜ୍ୟ ସରକାର ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀ ଥିଲେ । ତେଣୁ ତାଙ୍କରି ହତ୍ୟା କରାଯିବା ପରେ ଏନେଇ ଲୋକଙ୍କ ଦ୍ୱାରା ବିଭିନ୍ନ କାରଣ ଦର୍ଶାଯିବ। ଏନେଇ ରାଜନୀତି ମଧ୍ୟ ହେବ। ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣା ର ତଦନ୍ତ ଭାର ନେଇଥିବା ବେଳେ ଏହାର ତଦନ୍ତ ନସରିବା ପର୍ଯ୍ୟନ୍ତ କୌଣସି ନିର୍ଯ୍ୟାଶରେ ପହଞ୍ଚି ହେବ ନାହିଁ ବୋଲି କହିଛନ୍ତି।
ସମ୍ବଲପୁର ସହର ସ୍ବର୍ଗତ ନବ ଦାସଙ୍କ ଜନ୍ମ ଭୂମି ହୋଇଥିବାରୁ ବର୍ତ୍ତମାନ ଝାରସୁଗୁଡାରେ ଏହି ଘଟଣା ଘଟିଥିଲେ ମଧ୍ୟ ସମ୍ବଲପୁରରେ ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ସୂଚନାଯୋଗ୍ୟ ଯେ ଗତ 29 ତାରିଖ ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡା ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରଜରାଜନଗର ଯାଉଥିବା ବେଳେ ଗାନ୍ଧୀ ଛକ ଠାରେ କେତେକ ଦଳୀୟ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିବାକୁ ନିଜ କାରର ଗେଟ ଖୋଲି ବାହାରକୁ ବାହାରି ଫୁଲମାଲ ପିନ୍ଧୁଥିବା ବେଳେ ଅଚାନକ ତାଙ୍କ ବାମ ଛାତିରେ ଏକ ଗୁଳିମାଡ଼ ହୋଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏୟାରଲିପ୍ଟ ଯୋଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ରେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।
ଇଟିଭି ଭାରତ, ସମ୍ବଲପୁର