ସମ୍ବଲପୁର: ଭିଜିଲାନ୍ସ ଜାଲରେ SDA(Sambalpur Development Authority) ବା ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପୂର୍ବତନ ପ୍ଲାନିଂ ମେମ୍ବର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ SDAର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଗିରଫ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବନ୍ଦିତାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଘର ସମେତ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉରେ ବନ୍ଦିତାଙ୍କ ବିପୁଳ ସମ୍ପତ୍ତି ଠାବ ହୋଇଥିବା ବେଳେ ତାଙ୍କୁ ଗତକାଲି ଗିରଫ କରାଯାଇଛି । ଏହାପରେ ତାଙ୍କୁ କୋର୍ଟ ଚଲାଣ କରାଯାଇଛି । ଏଥିସହ ଏସଡିଏର ପୂର୍ବତନ କନିଷ୍ଠ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ । ତେବେ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲ ପୂର୍ବରୁ ଏକ ଠକେଇ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଅଛନ୍ତି l
ସୂଚନା ମୁତାବକ, ଆୟ ବହିର୍ଭୁତ ଠୁଳ ମାମଲାରେ ଗତ 19 ଓ 20 ତାରିଖରେ ପୂର୍ବତନ SDA ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟନ ସାମଲଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ସମେତ ଅଫିସରେ ଚଢ଼ାଉ ହୋଇଥିଲା l ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ହୋଇଥିଲା l ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ନିଜର ସମ୍ପତି ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି l ବନ୍ଦିତା ମହାପାତ୍ରଙ୍କ ପାଖରେ ନିଜର ଆୟଠାରୁ 88% ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି l
ତେବେ ବନ୍ଦିତାଙ୍କର ଭୁବନେଶ୍ୱର ସୌଭାଗ୍ୟ ନଗରରେ 5400 ବର୍ଗଫୁଟର ଏକ 3 ମହଲା କୋଠା, ଭୁବନେଶ୍ୱର ଗାଡକଣର ନେତାଜୀ ଏନକ୍ଳେଭରେ ଏକ ଫ୍ଲାଟ, ଭୁବନେଶ୍ୱର ଓ ବାରିପଦାରେ 7 ଟି ପ୍ଲଟ, ମ୍ୟୁଚୁଆଲ ଫଣ୍ଡ୍ରେ 1 କୋଟିରୁ ଅଧିକ ନିବେଶ, ବୀମା ଓ ବ୍ୟାଙ୍କ୍ ଖାତାରେ 70 ଲକ୍ଷରୁ ଅଧିକ ଟଙ୍କା, ଚାରି ଚକିଆ ଯାନ, ସୁନା ଗହଣା, ଘରେ 3ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଏନେଇ ଭିଜିଲାନ୍ସ କେସ ନମ୍ବର 33ରେ ମାମଲା ରୁଜ୍ଜୁ କରିଛି। । ଅନ୍ୟପଟେ SDAର କନିଷ୍ଠ କିରାଣୀଙ୍କ 7500 ବର୍ଗଫୁଟର କୋଠା, ଚାରି ଚକିଆ ଯାନ, ଘରେ 90 ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ l ତେବେ ସେ ପୂର୍ବରୁ ଏକ ଠକେଇ ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଅଛନ୍ତି । ସେପଟେ ତଦନ୍ତ ପାଇଁ ଦରକାର ପଡ଼ିଲେ ବନ୍ଦିତାଙ୍କୁ ରିମାଣ୍ଡ୍ରେ ଅଣାଯାଇ ପାରେ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର