ସମ୍ବଲପୁର: ଜିଲ୍ଲାରେ ଏବେ ସକ୍ରିୟ ବେଆଇନ କାଠ ମାଫିଆ । ବଡ଼ବଜାର ଅଞ୍ଚଳରେ ଏକ ବେଆଇନ କରତ କଳ ଠାବ ହୋଇଛି । ସମ୍ବଲପୁର ବନବିଭାଗ ପକ୍ଷରୁ ଏହି ବେଆଇନ କରତ କଳ ଉପରେ ହଠାତ୍ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବହୁ ବେଆଇନ କାଠ କରତ କଳରେ ମହଜୁଦ ଥିବା ଜଣାପଡିଥିଲା । ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି କିଛି ଲୋକ ଫେରାର ହୋଇଥିବା ବେଳେ 3 ଜଣ ଧରାପଡିଛନ୍ତି ।
କରତ କଳରେ ଥିବା ବହୁ ମୂଲ୍ୟବାନ ବେଆଇନ କାଠ ସହ ଏଠାରେ ଲାଗିଥିବା ସମସ୍ତ ମେସିନକୁ ମଧ୍ୟ ଜବତ କରିଛି ବନବିଭାଗ । କିଛିମାସ ପୂର୍ବରୁ ଏହି କରତ କଳ ଉପରେ ଚଢ଼ାଉ ହୋଇଥିଲା । ସେତେବେଳେ ମଧ୍ୟ ବହୁ ମୂଲ୍ୟବାନ କାଠ ଜବତ ହୋଇଥିଲା । ତେବେ ବାରମ୍ବାର ସହର ମଧ୍ୟକୁ କିପରି ଜଙ୍ଗଲରୁ କାଠ ଆସୁଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ସେପଟେ ସହରରେ ଥିବା ବେଆଇନ କରତ କଳ ଉପରେ ଯେବେ ବି ଚଢ଼ାଉ ହୁଏ କେବେ କୌଣସି କରତକଳ ମାଲିକ ଧରାପଡ଼ନ୍ତି ନାହିଁ। ଚଢ଼ାଉ ପୂର୍ବରୁ ଏମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ଏହି କାଠ ମାଫିଆମାନଙ୍କୁ ବନବିଭାଗର ଦୁର୍ନୀତିଖୋର କର୍ମଚାରୀମାନେ ଆଗୁଆ ସୂଚନା ଦେଉଥିବାର ଚର୍ଚ୍ଚା ହେଉଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ