ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଗତକାଲି(ଶୁକ୍ରବାର) ଶେଷ ହୋଇଛି । ସମୟ ଯେତିକି ବଢୁଛି ଉତ୍କଣ୍ଠା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ସମାଜର ସାମୂହିକ ବିକାଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି କିଛି ଉଚ୍ଚଶିକ୍ଷିତା । ପାରମ୍ପରିକ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଛାଡି ଏବେ ବିଭିନ୍ନ କ୍ଷେତ୍ରରୁ ପ୍ରାର୍ଥୀ ନାମାନଙ୍କ ପତ୍ର ଦାଖଲ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସମ୍ବଲପୁର ଜିଲ୍ଲାର କମାଣ୍ଡୋ ଦେଓ ନାରାୟଣ ତିୱାରି । କମାଣ୍ଡୋ ଦେଓ ନାରାୟଣ ତିୱାରି ହେଉଛନ୍ତି ଜଣେ ପୂର୍ବତନ ସେନା କର୍ମଚାରୀ । ସେନାରେ କାର୍ଯ୍ୟରତ ଥିବା ସମୟରେ ସେ ସର୍ଜିକାଲ ଷ୍ଟ୍ରାଇକରେ ଭାଗ ନେଇଥିଲେ । ବର୍ତ୍ତମାନ ନିଜ ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦେଓ ନାରାୟଣ ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ କୃଷକ ମାନଙ୍କ ସମସ୍ୟା ତଥା ବିଜେଡିର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଲୋକଙ୍କ ପାଖକୁ ନେଇ ନିର୍ବାଚନ ଜିତିବା ଆଶା ରଖିଛନ୍ତି ବୋଲି କହିଛନ୍ତି ପୂର୍ବତନ ସେନା କର୍ମଚାରୀ ଦେଓ ନାରାୟଣ ତିୱାରି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ