ସମ୍ବଲପୁର: ଆସନ୍ତା 21ରେ ସମ୍ବଲପୁରରେ ହେବ ବିଜେପିର ଆରଡିସି ଅଫିସ ଘେରାଉ ଆନ୍ଦୋଳନ । ଏନେଇ ଶନିବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ 21 ତାରିଖରେ ଚାଷୀଙ୍କ ସମସ୍ୟା ନେଇ ବିଜେପି ଆରଡିସି ଅଫିସ ଘେରାଉ କରିବ ବୋଲି ସୂଚନା ଦିଆଯାଇଛି ।
ସମ୍ବଲପୁରରେ ହେବାକୁ ଥିବା ବିଜେପିର ଏହି ବଡ଼ ଧରଣର ଆନ୍ଦୋଳନରେ ପଶ୍ଚିମ ଓଡିଶାର 5 ବିଜେପି ସାଂସଦ, 37ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ, ପୂର୍ବତନ ବିଧାୟକ, ନେତା, ତଥା ଚାଷୀ ସାମିଲ ହେବେ ବୋଲି ଆଜି ସମ୍ବଲପୁରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି ।
ମୁଖ୍ୟତଃ ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ, ଟୋକନ ଅବ୍ୟବସ୍ଥାର ପ୍ରତିବାଦରେ ଏହି ବିଶାଳ ଆନ୍ଦୋଳନ କରାଯିବ ବୋଲି ସମ୍ବଲପୁରରେ ଏକାଠି ହୋଇଥିବା ପ୍ରମୁଖ ବିଜେପି ନେତା ସୂଚନା ଦେଇଛନ୍ତି। ଶନିବାର ସମ୍ବଲପୁରରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ, ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ