ସମ୍ବଲପୁର: ଅଇଁଠାପାଲି ଛକରେ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ଛାତ୍ରୀ ମୃତ । ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ ଜଣେ ବିସିଏ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତ ଛାତ୍ରୀ ଜଣକ ହେଲେ କ୍ଷେତରାଜପୁର ପୋଦାର କଲୋନୀର ସୋନାଲ ଭଗତ ।
ସୂଚନା ଅନୁସାରେ ସୋନାଲ ଆଜି ପ୍ରାୟ ୧୦ ଟା ସମୟରେ ନିଜ ସ୍କୁଟିରେ ଅଇଁଠାପାଲି ଛକରୁ ସହର ଭିତରକୁ ପ୍ରବେଶ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ପଛ ପଟରୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ହିଁ ସୋନାଲଙ୍କର ମୃତ୍ୟୁ ଘଟିଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଥିଲେ । ସେଠାରେ ଛାତ୍ରୀ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ସମ୍ବଲପୁର ଅଇଁଠାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା ନୁଆ ନୁହେଁ । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ବହୁ ଜୀବନ ହାନୀ ଘଟୁଛି । ଏହି ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା କଡାକଡ଼ି କରାଯିବା ସହ ରାସ୍ତାରେ ସ୍ପିଡ୍ ବ୍ରେକର ବ୍ୟବସ୍ଥା କରାଯିବା ତଥା ଦୁର୍ଘଟଣା ରୋକିବାକୁ ଏହି ଆଞ୍ଚଳରେ ଏକ ଫ୍ଲାୟ-ଓଭର ବ୍ରିଜ ନିର୍ମାଣ କରାଯିବା ପାଇଁ ସାଧାରଣରେ ବାରମ୍ବାର ଦାବି କରାଯାଉଛି । କିନ୍ତୁ ଏନେଇ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ସମ୍ବଲପୁର