ସମ୍ବଲପୁର: ପୁଣି ଅଶାନ୍ତ ହେଲା ବୁର୍ଲା ସହର । ସହରରେ ପୁଣି ଜଣେ ଯୁବକକୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । କିଛିଦିନ ଧରି ବୁର୍ଲାରେ ପ୍ରତିଦିନ ହତ୍ୟା, ଚୋରି, ଲୁଣ୍ଠନ ଭଳି ଅଭାବନୀୟ ଘଟଣା ଘଟିଚାଲିଛି । ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବୁର୍ଲା ପୋଲିସ ସମ୍ପୂର୍ଣ ଭାବରେ ଫେଲ୍ ମାରିଥିବା ଅଭିଯୋଗ ହୋଇଛି । ଆଜି ଏହାର ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ ।
ବୁର୍ଲା ମିର୍ଧାପଡା ଅଞ୍ଚଳରେ ଶନିବାର ଏକ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ବୁର୍ଲା ଥାନାରେ ଅଭିଯୋଗ ହୋଇଛି କିନ୍ତୁ ବହୁ ସମୟ ବିତିଯାଇଥିଲେ ସୁଦ୍ଧା ବୁର୍ଲା ପୋଲିସ ଘଟଣାସ୍ଥଳକୁ ଆସିନଥିବା ଅଭିଯୋଗ କରିଛନ୍ତି ଲୋକେ । ଫଳରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଅଞ୍ଚଳବାସୀ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲେଇଛନ୍ତି । ସୂଚନାନୁଯାୟୀ, ବୁର୍ଲା ଥାନା ଅନ୍ତର୍ଗତ ମିର୍ଧାପଡ଼ା ଅଞ୍ଚଳର ଅନିରୁଦ୍ଧ ପଞ୍ଚବିହାର ଗତ ଦୁଇଦିନ ତଳୁ ନିଖୋଜ ହୋଇଥିବା ପରିବାର ପକ୍ଷରୁ ବୁର୍ଲା ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଶନିବାର ତାଙ୍କର ମୃତଦେହ ଗାଁ ମୁଣ୍ଡରେ ଏକ ଗଛରେ ବନ୍ଧାହୋଇଥିବା କିଛି ଲୋକ ଦେଖିଥିଲେ ।
ଏନେଇ ଅନିରୁଦ୍ଧଙ୍କ ପରିବାର ପକ୍ଷରୁ ବୁର୍ଲା ଥାନାରେ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ନ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହିତ ଧାରଣାରେ ବସିରହିଥିଲେ । ଅନ୍ୟପକ୍ଷେ ପୋଲିସର ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହା ଜଣା ପଡିବ ଯେ ଏହା ହତ୍ୟା ନା ଆତ୍ମହତ୍ୟା । ଏନେଇ ସୂଚନା ଦେଇଛନ୍ତି ବୁର୍ଲା ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ର ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ