ସମ୍ବଲପୁର: ସମ୍ବଲପୁରରେ ହେବନି ଭସାଣି ଶୋଭାଯାତ୍ରା l କାରଣ ଜିଲ୍ଲା ପ୍ରଶାସନ ଗଣେଶ ପୂଜା ଓ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇଛି l ପୂଜା ହେବ କିନ୍ତୁ ଭସାଣି ହେବନି l ଏହିଭଳି ପରିସ୍ଥିତିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ପୂର୍ବଭଳି ଭସାଣି କରିବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନ ଆଗରେ ଦାବୀ କରାଯାଇଛି l ସେପଟେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ଜିଲ୍ଲା ବିଜେପି ମଧ୍ୟ ବିରୋଧ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ଆସ୍ଥା ଓ ଧାର୍ମିକ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକରୁ ବୋଲି କହିଛି ଧଲ ।
ସମ୍ବଲପୁରରେ ବାରଣ ହେଲା ଗଣେଶ ପୂଜା ଓ ଦୁର୍ଗା ପୂଜାର ଭସାଣି ଶୋଭାଯାତ୍ରା l ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜିଲ୍ଲା ପୋଲିସ ପ୍ରଶାସନ ଏହିଭଳି ଧାର୍ମିକ ଶୋଭାଯାତ୍ରା ଉପରେ ବର୍ତ୍ତମାନ ପରିସ୍ଥିତିରେ ରୋକ ଲଗାଆଯାଇଛି l ଗଣେଶ ପୂଜା, ଦୁର୍ଗା ପୂଜା, ବିଶ୍ଵକର୍ମା ପୂଜା ହେବ କିନ୍ତୁ ହେବନି ଭସାଣି ଶୋଭାଯାତ୍ରା l ଜିଲ୍ଲା ପ୍ରଶାସନ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି l ଏହାପରେ ସହରର ବିଭିନ୍ନ ପୂଜା କମିଟି ଗୁଡିକ ଅସନ୍ତୋଷ ପ୍ରକାଶ କରି ପୂର୍ବଭଳି ସ୍ବାଭାବିକ ଢଙ୍ଗରେ ପୂଜା ଓ ଭସାଣି କରିବାକୁ ଅନୁମତି ଦେବାକୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଦ୍ବାରା ସହରର ଶହଶହ ବର୍ଷର ପରମ୍ପରା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି l
ସେହିପରି ଏହି ପ୍ରସଙ୍ଗରେ ଜିଲ୍ଲା ବିଜେପି ନିଜର ଅସନ୍ତୋଷ ଜାହିର କରିଛି । ଆଜି ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ହୀରାକୁଦ ସହରରେ ହୀରାକୁଦ ଡ୍ୟାମ ନିର୍ମାଣ ହେବା ଦିନ ଠାରୁ ବିଶ୍ବକର୍ମା ପୂଜା ଓ ଭସାଣି ହୋଇ ଆସୁଛି l ଏହା ସହ ଲୋକଙ୍କ ଭାବାବେଗ ଜଡ଼ିତ ଅଛି l ତେଣୁ ଜିଲ୍ଲା ପ୍ରଶାସନ ଏହିଭଳି ପଦକ୍ଷେପ ନନେଉ ବୋଲି ସେ କହିଛନ୍ତି । ମୁଖ୍ୟତଃ ଜିଲ୍ଲା ପ୍ରଶାସନ ଲୋକଙ୍କ ଧାର୍ମିକ ବିଷୟ ଉପରେ ହସ୍ତାକ୍ଷେପ କରିବାରୁ ବିରତ ରହୁ ବୋଲି ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ କହିଛନ୍ତି ।
ସୂଚନା ଯୋଗ୍ୟଯେ ଗତ ଏପ୍ରିଲ ମାସ 12 ତାରିଖରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଉପରେ ପଥର ମାଡ ଓ 14 ତାରିଖ ରେ ଏହାର ପ୍ରତିକ୍ରିୟା ସ୍ବରୂପ ପୋଡା ଜଳା ହୋଇଥିଲା l ଏହି ସମୟରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଜଣେ ଆଦିବାସୀ ଯୁବକ ପ୍ରାଣ ହରାଇ ଥିବା ବେଳେ ଜଣେ ହରିଜନ ସମ୍ପ୍ରଦାୟର ଯୁବକ ଗୁରୁତର ଆହତ ହୋଇଥିଲେ l ଏହା ପରେ ସହରରେ କର୍ଫ୍ୟୁ ଲାଗି ଯାଇଥିଲା। ବହୁ ଦିନ ଧରି ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଥିଲା l ଏହି ହିଂସା ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜାତୀୟ ଆଦିବାସୀ କମିଶନ ଓ ଜାତୀୟ ଏସସି କମିଶନଙ୍କ ଆଗରେ ହାଜର ହେବାକୁ ପଡ଼ୁଛି l ତେଣୁ ଜିଲ୍ଲା ପ୍ରଶାସନ ଏମିତି ପଦକ୍ଷେପ ନେଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି l
ଇଟିଭି ଭାରତ, ସମ୍ବଲପୁର