ସମ୍ବଲପୁର: ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହୋଇଯିବ ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାର ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ଜୁନ 3 ତାରିଖରୁ ଆରମ୍ଭ ହେଉଥିବା ଏହି ଶୀତଲଷଷ୍ଠୀ ଯାତ୍ର ଜୁନ 9 ତାରିଖରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷ ହେବ।
ଏଥର ଶୀତଳଷଷ୍ଠୀ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ସର୍ବମୋଟ 6 ହଜାର ଲୋକ କଳାକାର ସାମିଲ ହେବେ ବୋଲି କୁହାଯାଇଛି । ସମ୍ବଲପୁର ନନ୍ଦପଡାର ଵଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାର ପତର ପେଣ୍ଡି ପରମ୍ପରା ଜୁନ 3 ତାରିଖରେ, ଦେବ ନିମନ୍ତ୍ରଣ 4 ତାରିଖରେ ସମ୍ପନ୍ନ ହେବ । ସେପଟେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ଝାଡୁଆପଡା ଆରଣ୍ୟକ ଲୋକନାଥ ବାବା ଓ ମୁଦିପଡାର ଜାଗେଶ୍ୱର ବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରା ସହ ଅନ୍ୟ ସମସ୍ତ ଯାତ୍ରା କମିଟିର ପତରପେଣ୍ଡି ଜୁନ 5 ତାରିଖରେ ଓ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ଜୁନ 6 ରେ ଅନୁଷ୍ଠିତ ହେବ । ଜୁନ 7 ତାରିଖ ରାତ୍ରିରେ ବରଯାତ୍ରୀ ଶୋଭାଯାତ୍ରା ସହ ସମସ୍ତ ସ୍ଥାନରେ ଦେବ ବିବାହ ସମ୍ପନ୍ନ ହେବ । 8 ତାରିଖ ମଧ୍ୟରାତ୍ରିରୁ ଯୁଗଳ ଦର୍ଶନ ଶୋଭାଯାତ୍ର ଆରମ୍ଭ ହୋଇ 9 ତାରିଖ ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟାରେ ଦେବ ଦାମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।
ଏଥର ନନ୍ଦପଡା ଯାତ୍ରାର ବଜେଟ 30 ଲକ୍ଷ ରହିଥିବା ବେଳେ ମୋଟ 1700 ଲୋକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରୁ ସାମିଲ ହେବେ। ଏହାସହ ଵଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ଯୁଗଳ ଦର୍ଶନ ଶୋଭଯାତ୍ରାରେ 5 ଟି ସଚେତନାତ୍ମକ ପ୍ରଜ୍ଞାପନ ମେଢ଼ ସାମିଲ କରାଯିବ। ସେହିପରି ଲୋକନାଥ ବାବାଙ୍କ ଶୋଭଯାତ୍ରାରେ ମୋଟ 1800 କଳାକାର ଓ ମୁଦିପଡା ଜାଗେଶ୍ୱର ବାବାଙ୍କ ଶୀତଲଷଷ୍ଠୀ ଯାତ୍ରାରେ 1500 କଳାକାର ସାମିଲ ହେବା ନେଇ ସୂଚନା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ