ରାୟଗଡା: ଚାନ୍ଦିଲି ଥାନା ଗେଟିପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇଲା ଟ୍ରାକ୍ଟର । ଫଳରେ ବ୍ରିଜରୁ ୨୦ ଫୁଟ ତଳକୁ ଖସି ପଡିବା ଯୋଗୁ ଗାଡିରେ ଥିବା ୫ ଶ୍ରମିକ ଆହତ ହୋଇଛନ୍ତି ।
ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।
ସନ୍ଧ୍ୟାରେ ଇଟା ବୋଝେଇ ଟ୍ରାକ୍ଟରଟି ପେଣ୍ଟାରୁ କାର୍ଲାକଣା ଅଭିମୁଖେ ଯାଉଥିଲା। ଏହି ସମୟରେ କଲ୍ୟାଣସିଂହପୁରରୁ ଜେକେପୁର ଆଡକୁ ଆସୁଥିବା ଏକ ବାଇକ୍ ହଠାତ୍ ଟ୍ରାକ୍ଟର ଆଗକୁ ଚାଲି ଆସିଥିଲା। ଫଳରେ ଗେଟିପଡ଼ା ବ୍ରିଜ୍ ଉପରେ ଟ୍ରାକ୍ଟର ଡ୍ରାଇଭର ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ଦେବା ପରେ ଭାରସାମ୍ୟ ହରାଇ ଟ୍ରାକ୍ଟରର ଇଞ୍ଜିନ୍ ଡାଲାରୁ ଅଲଗା ହୋଇ ବ୍ରିଜ୍ ତଳକୁ ଖସି ପଡିଥିଲା ।
ଦୁର୍ଘଟଣାରେ କାର୍ଲାକଣା ଗାଁର ଶ୍ରମିକ କୁମାର କୁଲସିକା ,ଶିବ କାଡ୍ରକା , ଶଙ୍କର ପେଦେଣ୍ଟି , ରାଜାରାଓ ହିମିରିକା ଏବଂ ଗୁରୁ ପେଦେଣ୍ଟି ଆହତ ହୋଇଛନ୍ତି । ଖବର ପାଇ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ