ରାୟଗଡା: ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍କୁଲ ଗୃହ ଓ ଶିକ୍ଷକ ଥିଲେ ବି ଛାତ୍ରଛାତ୍ରୀ ପାଠ ପଢିବାକୁ ମନ କରୁନଥିବା ଦେଖିବାକୁ ମିଳୁଛି । ଏମିତିରେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବିଷ୍ଣୁପୁର ଗ୍ରାମରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଏଠାରେ ଛାତ୍ରଛାତ୍ରୀ ପାଠ ପଢିବାକୁ ଇଛା କରୁଥିଲେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି ସ୍କୁଲ ଘର । ଆଉ ବିପଦ ଘେରରେ ଚାଲିଛି ଆଗାମୀ ଭବିଷ୍ୟତଙ୍କୁ ଶିକ୍ଷାଦାନ ।
ଅବ୍ୟବସ୍ଥା ଘେରରେ ଛନ୍ଦି ହୋଇଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କୋଠ ଘରେ ଚାଲିଛି ଶିକ୍ଷାଦାନ । ପ୍ରତ୍ୟକ ଦିନ କୋଠଘରୁ ହଣ୍ଡା ହାଣ୍ଡି ବାହାରକୁ କଢ଼ାଯାଏ ଓ ତାପରେ ଚାଲେ ପାଠପଢା । ଆଉ ପାଠ ପଢା ସରିବା ପରେ ପୁଣି ହଣ୍ଡା ହାଣ୍ଡି ବୁହା ହୁଏ କୋଠ ଘରକୁ । ସରକାରଙ୍କ ପକ୍ଷରୁ 2004 ମସିହାରେ ଏଠାରେ ନୂତନ ସ୍କୁଲ ଗୃହଟିଏ ନିର୍ମାଣ ବି ହୋଇଥିଲା । ଯେଉଁଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ 26 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ହେଲେ 15 ବର୍ଷ ପରେ ସ୍କୁଲ ଗୃହଟିର ଚତୁଃପାର୍ଶ୍ବରେ ବାଡ଼ ଫାଟି ଆଁ କଲାଣି । ନିମ୍ନମାନର କାମ ହୋଇଥିବାରୁ କମ ଦିନରେ ସ୍କୁଲଟି ଭାଙ୍ଗି ଗଲାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ କୋଠ ଘରେ ସ୍କୁଲ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ଚାଲିଛି ସେହି ଭଙ୍ଗା ଦଦରା ସ୍କୁଲ ଘରେ । ଏମିତିରେ ତୁରନ୍ତ ନୂତନ ସ୍କୁଲ ଗୃହ ତିଆରି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଗୋଟିଏ ପଟେ ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକଙ୍କୁ ବାରମ୍ବାର ଗୁହାରି କରିଥିଲେ ବି ଖାଲି ମିଳୁଛି ଖାଲି ପ୍ରତିଶୃତି । ଏନେଇ ସୋରଡ଼ା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଅତିଶୀଘ୍ର କାମ ଆରମ୍ଭ ହେବ । ହେଲେ ସେତେ ଦିନ ପର୍ଯ୍ୟନ୍ତ କୋଠ ଘରେ ଚାଲିବ ପାଠ ପଢା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ