ରାୟଗଡା: ବାଲି ଉଠାଣକୁ ବିରୋଧ କରି ଶତାଧିକ ମହିଳାଙ୍କ ରାସ୍ତାରୋକ । ବଂଶଧାରା ନଦୀଘାଟରୁ ବାଲିଉଠାଣକୁ ବିରୋଧ କରି ଭାମିନୀରେ ଶତାଧିକ ମହିଳା ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁଯାୟୀ, ରାମନାଗୁଡା ତହସିଲ ଅନ୍ତର୍ଗତ ଭାମିନୀ ଗାଁ ଦେଇ ବହିଯାଉଥିବା ବଂଶଧାରା ଅବବାହିକରୁ ପ୍ରତିଦିନ ଶହ ଶହ ଟ୍ରକ ବାଲି ଜିଲ୍ଲା ତଥା ପଡୋଶୀ ଆନ୍ଧ୍ରକୁ ରପ୍ତାନୀ ହେଉଛି । ପ୍ରଶାସନର ଜାଣତରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗରେ ରବିବାର ଭାମିନୀର ଶତାଧିକ ମହିଳାମାନେ ବାଲି ବୋଝଇ ଟ୍ରାକ୍ଟର, ଟ୍ରକ ଗୁଡିକୁ ଅଟକାଇ ରାସ୍ତାରୋକ କରିବା ସହ ଧାରଣରେ ବସିଥିଲେ ।
ସେପଟେ ବ୍ୟାପକ ପରିମାଣରେ ନଦୀଗର୍ଭରୁ ବାଲି ଖନନ ହେଉଥିବାରୁ ନଦୀର ଗତିପଥ ପରିବର୍ତ୍ତନ ସାଙ୍ଗକୁ ବନ୍ୟାପାଣି ଦ୍ୱାରା ଭାମିନୀ ଗ୍ରାମ ଲୀନ ହେବାର ସମ୍ଭାବନା ରହିଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ଏସମ୍ପର୍କରେ ସମ୍ପୃକ୍ତ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନକୁ ଅବଗତ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଶେଷରେ ବାଧ୍ୟ ହୋଇ ରବିବାର ବାଲିବୋଝଇ ଟ୍ରାକ୍ଟର, ଟ୍ରକ ଗୁଡିକ ଅଟାଇ ରାସ୍ତାରୋକ କରାଯାଇଥିବା ମହିଳାମାନେ କହିଛନ୍ତି ।
ଖବର ପାଇ ରାମନାଗୁଡା ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା କରିବା ସହ ଦାବି ସମ୍ପର୍କରେ ଗୁଣପୁର ଉପଜିଲ୍ଲାପାଳ ତୁରନ୍ତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବାର ପ୍ରତିଶୃତି ପରେ ଆନ୍ଦୋଳନକାରୀ ମାନେ ଧାରଣରୁ ହଟିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ