ରାୟଗଡ଼ା: ନିଜକୁ ମାଇନ୍ସ ଅଧିକାରୀ ପରିଚୟ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କଲେ ଦୁଇ ଜଣ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅସଲି ମାଇନ୍ସ ଅଧିକାରୀ ହୋଇଥିବାବେଳେ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ସନ୍ଦେହ ଉପୁଜିଛି । ରାୟଗଡ଼ା ଜିଲ୍ଲା ଗୁଣପୁର ସହରରୁ ଏଭଳି ଘଟଣା ସାମନାକୁ ଆସିଛି । ସୂଚନା ଅନୁସାରେ, ଆଜି (ରବିବାର) ସକାଳୁ ନିଜକୁ ମାଇନ୍ସ ଅଧିକାରୀଙ୍କୁ ପରିଚୟ ଦେଇ ଦୁଇ ଜଣ ବ୍ୟକ୍ତି ବେଆଇନ ବାଲି ଟ୍ରାକ୍ଟରଗୁଡିକଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ସେମାନେ ଏକ କାରରେ ଆସି ଗୁଣୁପୁର ସହର ସମେତ ଆଖପାଖ ଅଞ୍ଚଳରେ ବାଲି ବୋଝେଇ ଟ୍ରାକ୍ଟର ଗୁଡିକୁ ଅଟକାଇ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା ।
ଜଣେ ନିଜକୁ ମାଇନ୍ସ ଅଧିକାରୀ କହୁଥିବାବେଳେ ଆଉ ଜଣେ ଗାଡ଼ି ଗୁଡିକୁ ଅଟକାଇ ଜରିମାନା ଦେବା ପାଇଁ ତାଗିଦ କରୁଥିଲେ । ତେବେ ଗୁଣୁପୁର ସହରରେ ଏଭଳି ଘଟଣା ଘଟୁଥିବା ନେଇ ବିଜୁଳି ବେଗରେ ଖବର ପ୍ରଚାରିତ ହୋଇଥିଲା । ଖବର ପାଇବା କେତେକ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ । ତେବେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ମାଇନ୍ସର ଅଧିକାରୀ ହୋଇଥିବାବେଳେ ଅନ୍ୟ ଜଣେ ଅପରିଚିତ ବ୍ୟକ୍ତି ଥିବା ଜଣାପଡିଥିଲା । ଯିଏ କି ଗାଡି ଗୁଡ଼ିକ ଅଟକାଇବା କାର୍ଯ୍ୟରେ ଲାଗିପଡିଥିଲେ ।
ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ତାଙ୍କ ପରିଚୟ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ଏହାସହ ନିଜ ମୁହଁକୁ ଢାଙ୍କି ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସାଙ୍ଗରେ ଆସିଥିବା ମାଇନ୍ସ ଅଧିକାରୀ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ବେବା ପରିବର୍ତ୍ତେ ନୀରବ ରହିଥିଲେ । ତେବେ "କିଏ ଏହି ଅଜଣା ବ୍ୟକ୍ତି ? ତାଙ୍କୁ କିଏ ପଠେଇଛନ୍ତି? ଏବଂ କାହା ସାହସରେ ସେ ଏଭଳି ଗାଡ଼ି ମୋଟର ଅଟକାଇବା କାର୍ଯ୍ୟରେ ନିୟୋଜିତ ଥିଲେ" ଏଭଳି ଅନେକ ପ୍ରଶ୍ନ ଉଠିଛି । ଯଦି ମାଇନ୍ସର କୌଣସି ଅଧିକାରୀ ହୋଇଥାନ୍ତି ତେବେ ନିଜ ପରିଚୟ ଦେଇପାରିଥାନ୍ତେ ।
ଏହା ମଧ୍ୟ ପଢନ୍ତୁ...ଝାରସୁଗୁଡ଼ାରେ ବେପରୁଆ ବାଲି ମାଫିଆ, ଅଙ୍କୁଶ ନଲାଗିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରସର ଧମକ
ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବାରୁ ସନ୍ଦେହ ବଢିଛି । ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନକଲି ମାଇନ୍ସ ଅଧିକାରୀଙ୍କୁ ଅସଲି ମାଇନ୍ସ ଅଧିକାରୀଙ୍କ ସୁରକ୍ଷା ଦେବା ପ୍ରସଙ୍ଗକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ବେଆଇନ ବାଲି ଟ୍ରାକ୍ଟର ଗୁଡିକଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ମାଲାମାଲ ହେବାକୁ ଏହା ଏକ ଯୋଜନା ବୋଲି କୁହାଯାଉଛି ।
ଇଟିଭି ଭାରତ, ରାୟଗଡ଼ା