ରାୟଗଡା: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଗାଁକୁ ଗାଁ ମଧ୍ୟରେ ଯୋଡାଯାଇ ପାରିଛି । ଆଉ ପଞ୍ଚାୟତସ୍ତରରେ ଜନସେବା କେନ୍ଦ୍ର ମାନ ପ୍ରତିଷ୍ଠା କରି ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି । ଫଳରେ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ବୋଲି ନୀତି ଆୟୋଗ ରିପୋର୍ଟ ପ୍ରକାଶ କରିଛି ।
ଦେଶର ସର୍ବଶ୍ରେଷ୍ଟ 112 ଟି ଜିଲ୍ଲା ମଧ୍ୟରୁ ରାୟଗଡା ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ପଡୋଶୀ ଗଜପତି ଜିଲ୍ଲା ପ୍ରଥମ ଓ କୋରାପୁଟ ଜିଲ୍ଲା ଦ୍ବିତୀୟ ସ୍ଥାନ ଅଧିକାର କରିଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନାରେ ପୋଲ ନିର୍ମାଣ ଓ ସାଧାରଣ ଜନସେବା କେନ୍ଦ୍ର ନିର୍ମାଣ କରି ଜିଲ୍ଲା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ।
ଗତ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଦେଶରେ ନୀତି ଆୟୋଗ ପକ୍ଷରୁ ଡେଲଟା ରାଙ୍କିଂ ହୋଇଥିବା ବେଳେ ଆଜି ରିପୋର୍ଟ ପ୍ରକାଶ ପାଇଛି । ତେବେ ସମସ୍ତ ତଥ୍ୟ ଅନଲାଇନ୍ ମାଧ୍ୟମରେ ନୀତି ଆୟୋଗ ନିକଟରେ ପହଞ୍ଚୁଥିବାରୁ ସେସବୁର ତାଲିକା ପ୍ରସ୍ତୁତ କରାଯାଇ ରାଙ୍କିଂ ପ୍ରଦାନ କରାଯାଇଛି । ପ୍ରତି ମାସରେ 5ଟି ବିଭିନ୍ନ ବିଭାଗରେ ରାଙ୍କିଂ ଦିଆଯାଇଥିବା ବେଳେ ଚଳିତ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଜିଲ୍ଲାର ଅନ୍ତରୀଣ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ରାୟଗଡା ଜିଲ୍ଲାକୁ ତୃତୀୟ ସ୍ଥାନ ମିଳିଛି ।
ତେବେ ଦେଶର 112ଟି ଜିଲ୍ଲା ମଧ୍ୟରୁ ଓଡିଶାର 10ଟି ଜିଲ୍ଲା ରହିଛି । ରାୟଗଡା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଉଦ୍ୟମ ଫଳରେ ଜିଲ୍ଲା ଦେଶରେ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏନ୍.ଗୁଣ ଶେଖର ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ