ରାୟଗଡା: ଚିନ୍ତା ବଢାଉଛି କୋରୋନାର ନୂଆ ଷ୍ଟ୍ରେନ ସଂକ୍ରମଣ । ବିଭିନ୍ନ ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ସ୍ବତନ୍ତ୍ର ରିଲିଫ କମିଶନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ଚିଠି ଲେଖିଛନ୍ତି ।
ଏନେଇ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ଼ ଲାଇନ ଜାରି କରାଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସହାୟତାରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗାଇଡଲାଇନ ଅନୁଯାୟୀ, ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ଦୋକାନ ବଜାର, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ କାର୍ଯ୍ୟାଳୟରେ ଅଯଥା ଭିଡ ନ କରିବା ଓ ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ସାମାଜିକ ଉତ୍ସବ ଅନୁଷ୍ଠାନକୁ ନଜର ରଖିବାକୁ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ସହରର ବିଭିନ୍ନ ସ୍ଥାନ ଗସ୍ତ କରି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଛନ୍ତି । ତେବେ ଆଗକୁ ମାସ୍କ ନ ପିନ୍ଧିଲେ ଅମାନିଆଙ୍କୁ ସାବାଡ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ