ରାୟଗଡ଼ା: ଦେଶରେ କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ କ୍ରମେ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏଥିଲାଗି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବିଭିନ୍ନ ସଂଗଠନ ସହିତ ଜରୁରିକାଳୀନ ବୈଠକ ଡାକିଛନ୍ତି ।
ବିଶେଷ କରି ଘରୋଇ ବସ ମାଲିକ ସଙ୍ଘ, ଅଟୋ ମାଲିକ ସଂଘ, ଟାକ୍ସି ମାଲିକ ସଂଘ ସହିତ ଜିଲ୍ଲାପାଳ କୋରୋନାର ଦ୍ବିତୀୟ ଲହରୀକୁ ନେଇ ଆଲୋଚନା କରିଛନ୍ତି । ବାହାର ରାଜ୍ୟରୁ ଜିଲ୍ଲାକୁ ଆସୁଥିବା ଯାତ୍ରୀ ଆସନ୍ତା 19 ତାରିଖଠାରୁ RT-PCR ରିପୋର୍ଟ କିମ୍ବା ଦ୍ବିତୀୟ ଡୋଜ ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇଲା ପରେ ଯାଇ ଜିଲ୍ଲାରେ ପ୍ରବେଶର ଅନୁମତି ମିଳିବ । ଆନ୍ତଃରାଜ୍ୟ ବସ ସେବା ଆସନ୍ତା 19 ତାରିଖଠାରୁ ଜିଲ୍ଲାରେ ବନ୍ଦ କରାଯାଇଛି । କେବଳ ରାଜ୍ୟ ଭିତରେ ଗାଡି ଗୁଡିକ ଚାଲୁ ରହିବ ଏବଂ ବସ ମାଲିକମାନେ କୋଭିଡ ନିୟମ କଡାକଡି ମାନିବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲାପାଳ । ବିଶେଷ କରି ବସରେ କୌଣସି ଯାତ୍ରୀ ଠିଆ ହେଇଯାଇ ପାରିବେ ନାହିଁ । ସମସ୍ତେ ମାସ୍କ ବ୍ୟବହାର କରିବାକୁ ବାଧ୍ୟ ଓ ଗାଡ଼ିରେ ନିୟମିତ ସାନିଟାଇଜିଂ କରିବାକୁ ପଡିବ ।
ସେହିପରି ଅଟୋ ଟ୍ୟାକ୍ସିରେ କେବଳ ଦୁଇଜଣ ଯାତ୍ରୀ ଯାତ୍ରା କରିପାରିବେ । କୋଭିଡ ନିୟମ ନମାନିଲେ ଗାଡିର ମାଲିକଙ୍କୁ ପ୍ରଥମେ ଜୋରିମାନା ଦେବାକୁ ପଡିବ ଓ ଦରକାର ପଡିଲେ ଲାଇସେନ୍ସ ରଦ୍ଦ କରିଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ହୋଟେଲରେ ବାହାର ଜିଲ୍ଲାରୁ ଆସି ରହୁଥିବା ଯାତ୍ରୀମାନଙ୍କ ଦୈନିକ ସୂଚନା ରଖିବାକୁ ହୋଟେଲ ମାଲିକଙ୍କୁ କୁହାଯାଇଛି । ସେମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ କହିବା ସହିତ ବିନା ମାସ୍କରେ କୌଣସି ଯାତ୍ରୀଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ । ପ୍ରଥମେ କୋଭିଡ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ପଡିବ । ହୋଟେଲକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନଂ ମଧ୍ୟ କରାଯିବ । କୋଭିଡ ନିୟମ ପାଳନ ନକଲେ ହୋଟେଲକୁ ଜୋରିମାନା ଦେବାକୁ ପଡିବ ନହେଲେ ଦରକାର ପଡିଲେ ହୋଟେଲକୁ ସିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସମସ୍ତ ରେଷ୍ଟୁରାଣ୍ଟ ରାତି 9ଟାଠାରୁ ବନ୍ଦ କରାଯିବ । ଧାର୍ମିକ ଅନୁଷ୍ଠାନଗୁଡିକରେ ମଧ୍ୟ କେବଳ ନୀତିକାନ୍ତିରେ ସୀମିତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଭକ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ଵାର ପ୍ରଭୃତି ଧାର୍ମିକ ଅନୁଷ୍ଠାନ ନିୟମିତ ବିଶୋଧନ କରିବାକୁ ପଡିବ । ଧର୍ମାନୁଷ୍ଠାନଗୁଡିକରେ ସମସ୍ତେ କଡାକଡି ଭାବରେ କୋଭିଡ ନିୟମ ମାନିବାକୁ ଜିଲ୍ଲାପାଳ କହିଛନ୍ତି । ସେହିପରି ସିନେମା ହଲରେ ମଧ୍ୟ କଡାକଡି ନିୟମକୁ ପାଳନ କରାଯିବ । ମାତ୍ର 5୦ ପ୍ରତିଶତ ଦର୍ଶକରେ ସିନେମା ହଲ ଚଲାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ