ରାୟଗଡ଼ା: ରବି ଧାନ ଚାଷ କରି ହରଡ଼ଘଣାରେ ଏବେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡେ ମାରି ଧାନ ଚାଷକରି ହନ୍ତସନ୍ତ ହେଉଛନ୍ତି ମୁନିଗୁଡା ବ୍ଲକର ଚାଷୀ। ପଞ୍ଜିକରଣ କରିବା ପରେ ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ଗଦା କରିଛନ୍ତି । ହେଲେ ଏ ଯାଏଁ ଉଠି ପାରୁନାହିଁ ମଣ୍ଡିରୁ ଧାନ । ଫଳରେ ଶହ ଶହ କ୍ବିଣ୍ଟାଲ ଧାନ ଏବେ ବର୍ଷରେ ଭିଜି ଗଜା ହେଲାଣି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ସେପଟେ କିଛିଦିନ ହେଲା ବର୍ଷା ଲାଗିରହିବା ସହ ଆଗାମୀ 3ଦିନ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବେବି ମୁନିଖୋଲ ସ୍ଥିତ ଗ୍ରାମ ପଞ୍ଚାୟତ ମଣ୍ଡିରେ ହଜାରରୁ ଅଧିକ କ୍ବିଣ୍ଟାଲ ଧାନ ପଡି ରହିଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଉତ୍ପାଦିତ ଧାନକୁ ବିକ୍ରି କରି ନପାରିବାରୁ ଚିନ୍ତାରେ ପଡିଯାଇଛି । ତେଣୁ ଯଥାଶୀଘ୍ର ମଣ୍ଡିରୁ ଧାନ ଉଠାଇବା ପାଇଁ ପ୍ରଶାସନକୁ ନେହୁରା ହୋଇଛି ଚାଷୀ ।
ଚଳିତ ବର୍ଷ ରବିଧାନ ବିକ୍ରି ପାଇଁ ରାୟଗଡା ଜିଲ୍ଲାରେ 2221ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ମୁନିଗୁଡା ଲେମ୍ପ୍ସ ଅଧିନରେ 274 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଜିଲ୍ଲାର 52,239 କୁଇଣ୍ଟଲ ଧାନ କିଣିବାକୁ ଟାର୍ଗେଟ ଥିବା ବେଳେ ମୁନିଗୁଡା ଲେମ୍ପକୁ ପ୍ରଥମ ପର୍ଯ୍ୟାୟରେ 4100 କ୍ବିଣ୍ଟାଲ ଓ ଦ୍ବିତୀୟ ପର୍ଯାୟରେ 1600 କ୍ବିଣ୍ଟାଲ ଧାନ କିଣିବା ପାଇଁ ଯୋଗାଣ ବିଭାଗ ଅନୁମତି ଥିଲା । ସେଥିମଧ୍ୟରୁ ଟୋକନ ପାଇ ଧାନ ଆଣି ମଣ୍ଡିରେ ଜମା କରିବାର 2ସପ୍ତାହରୁ ଅଧିକ ବିତିଗଲାଣି ହେଲେ ଏଯାଏଁ ମୁନିଖୋଲ ମଣ୍ଡିରୁ ଉଠିପାରୁ ନାହିଁ ଧାନ । ସେପଟେ ବର୍ଷାକୁ ନଜରରେ ରଖି ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଯଥାଶୀଘ୍ର ମୁନିଗୁଡା ମଣ୍ଡିରୁ ସମସ୍ତ ଧାନ ଉଠାଯିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ