ରାୟଗଡା: ପ୍ରତି ମୂହୁର୍ତ୍ତରେ ବିପଦ । କେତେବେଳେ କଣ ହେବ ଲାଗି ରହୁଛି ଡର । ତଥାପି ଆଗେଇ ଚାଲିଛନ୍ତି ରାୟଗଡାବାସୀ । କାରଣ ନ ଆଗେଇଲେ ନିତିଦିନିଆ କାମ କିପରି ହେବ । ଆମେ କହୁଛୁ ସହରର ଲାଇଫ ଲାଇନ କୁହାଯାଉଥିବା ଫ୍ଲାଏଓଭର ବ୍ରିଜ କଥା ଯାହା ବର୍ତ୍ତମାନ ଭଙ୍ଗାଦଦରା ଅବସ୍ଥାରେ ରହିଛି ।
ଆନ୍ଧ୍ର ଓ ଛତିଶଗଡକୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥର ଏହି ଓଭରବ୍ରିଜଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ଏପରିକି କଙ୍କ୍ରିଟ ଝଡି ଲୁହା ରଡ ସବୁ ଆଁ କରିଛି । ପୁଣି ସେପଟେ ବ୍ରିଜ ଉପରେ ଅନାବନ ଗଛ ଉଠି ବ୍ରିଜର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରତି ଦିନ ହଜାର ହଜାର ଯାନବାହନ ଏହି ଓଭର ବ୍ରିଜ ଦେଇ ଯାତାୟତ କରିଥାଏ । ପୁଣି ଓଭରବ୍ରିଜ ତଳେ ଥିବା ପରିବା ଦୋକାନରେ ଲାଗି ରହିଥାଏ ଲୋକଙ୍କ ଭିଡ । ହେଲେ ଏହି ବ୍ରିଜ ଏବେ ପାଲଟିଛି ମରଣଯନ୍ତା । କେତେବେଳେ ଯେ ଓଭର ବ୍ରିଜଟି ଗଳି ପଡିବ, ତାହା କହି ହେବନି ।
ନିର୍ମାଣ ପରଠୁ ବ୍ରିଜରେ ଫାଟ ସୃଷ୍ଟି ହୋଇ ଲୁହା ଭାରା ଉପରେ ନିର୍ଭର ହୋଇ ଛିଡା ହୋଇଛି କେତୋଟି ଛାତ । ପୁଣି ତଳପଟୁ ବ୍ରିଜର ଧାରଣା କ୍ଷମତା ମଧ୍ୟ ନାହିଁ । ଏହାସହ ଏହି ଲୁହା ରଡ ଉପରେ ଦୈନିକ ଶହ ଶହ ଗାଡି ଯିବାଆସିବା କରୁଛି । ଫଳରେ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
୨୩ ବର୍ଷ ପୂର୍ବେ ରାୟଗଡା ସହର ମଧ୍ୟ ଦେଇ ଯାଇଥିବା ରେଳ ଧାରଣା ଉପରେ ଯାତାୟତର ଅସୁବିଧା ଯୋଗୁଁ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ ନିର୍ମାଣ କରିଥିଲା । ହେଲେ ୩ ବର୍ଷ ପୂର୍ବେ ବ୍ରିଜଟି ଜାତୀୟ ରାଜପଥ ବିଭାଗ ଅଧୀନକୁ ଯାଇଛି । ତେବେ ଏଥିପ୍ରତି ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେଉନଥିବାବେଳେ ଚିନ୍ତାରେ ସହରବାସୀ ।
ରାୟଗଡ଼ାରୁ ରଞ୍ଜନ ରଥ,ଇଟିଭି ଭାରତ