ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଚିତ୍ର ବଦଳିବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ । ପୂର୍ବର ପରମ୍ପରା ଭାଙ୍ଗିଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେଭଳି ଜଣେ ପ୍ରାର୍ଥନୀ ହେଲେ ଟୁନି ହୁଇକା(୨୫) । ଜିଲ୍ଲାର ସଦର ବ୍ଳକ କାମ୍ପମାଲିଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ସେ ବର୍ତ୍ତମାନ ନିର୍ବାଚନ ଲଢ଼ୁଛନ୍ତି ।
ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବେ ଚାକିରିକୁ ବାଏ ବାଏ କରି ରାଜନୀତିରେ ପାଦ ଥାପୁଥିବା ପରିଲକ୍ଷିତ ହୋଇଛି । ଆଦିବାସୀ ହରିଜନଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ । କିନ୍ତୁ ଶିକ୍ଷିତଙ୍କ ନେତୃତ୍ଵ ଅଭାବରୁ ତୃଣମୁଳରେ ପହଞ୍ଚି ପାରୁନି ଯୋଜନା । ଏହି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ରଖି ସଭ୍ୟ ପ୍ରାର୍ଥୀ ଭାବେ ଟୁନି ମୈଦାନକୁ ଓହ୍ଲାଇଛନ୍ତି । ଟୁନି ଏମବିଏ(ଅର୍ଥ) ପାସକରି ବ୍ୟାଙ୍କ ଚାକିରି ପାଇଁ ମନ ବଳାଇଥିଲେ । ନିଜର ଉଦ୍ୟମରେ ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି ପାଇବା ପାଇଁ ନିକଟରେ ମନୋନୀତ ମଧ୍ୟ ହୋଇଥିଲେ ।
ହେଲେ ଆଉ ଚାକିରି ପାଇଁ ନଯାଇ ବର୍ତ୍ତମାନ ଟୁନି ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଟୁନି ପ୍ରାଥମିକ ଶିକ୍ଷା ସମାପନ କରିବା ପରେ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ କରି ଏକ ଘରୋଇ କଲେଜରୁ MBA ପାସ କରିଥିଲେ । ପରେ ବ୍ୟାଙ୍କ ଚାକିରି ପାଇଁ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଚାକିରି ପାଇଁ ତାଙ୍କୁ ଡାକରା ଆସିଥିଲା । କିନ୍ତୁ ଲୋକ ସେବା କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ଥିବାରୁ ଚାକିରି ପ୍ରତି ଲୋଭ ନରଖି ନିର୍ବାଚନ ରଣାଙ୍ଗନରେ ପାଦ ଥାପିଛନ୍ତି ।
କାମ୍ପମାଲିଗାଁ ପଞ୍ଚାୟତ ସମିତି ସଭ୍ୟ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସର୍ବକନିଷ୍ଠ ପ୍ରାର୍ଥିନୀ ଭାବେ ମୈଦାନରେ ରହିଛନ୍ତି ଟୁନି । ତାଙ୍କ ବାପା କାର୍ସନା ହୁଇକାଙ୍କ ପଥରେ ଚାଲି ସେ ରାଜନୀତିକୁ ଓହ୍ଲାଇଛନ୍ତି । ତାଙ୍କ ବାପା ଏହି ପଞ୍ଚାୟତରୁ ୨ ଥର ସରପଞ୍ଚ ଥିବା ବେଳେ ଟୁନି ସେଠାରୁ ସମିତି ସଭ୍ୟ ଭାବେ ଲଢ଼ି ରାଜନୀତିକୁ ଓହ୍ଲାଇଛନ୍ତି । ଯଦି ସେ ବିଜୟୀ ହୁଅନ୍ତି ତାଙ୍କୁ ରାୟଗଡ଼ା ବ୍ଲକ ଅଧ୍ୟକ୍ଷା କରାଯିବ ବୋଲି ଚର୍ଚ୍ଚା ହେଉଛି ।
ଟୁନି ନିଜର ପ୍ରାର୍ଥୀତ୍ବ ସମ୍ପର୍କରେ କହିଛନ୍ତି ଯେ, ପୂର୍ବରୁ ଅନେକ ଲୋକ ପଞ୍ଚାୟତ ନିର୍ବାଚନରେ ନାଁକୁ ମାତ୍ର ଲଢୁଥିଲେ । ନିର୍ବାଚନ ଜିତିବା ପରେ ୫ ବର୍ଷ କ’ଣ କାମ କରିବେ ଚିନ୍ତାକରି ସମୟ ଅତିବାହିତ ହୋଇଯାଉଥିଲା । ବର୍ତ୍ତମାନ ସମୟରେ ପରିବର୍ତ୍ତନ ଘଟିଛି । ପୂର୍ବରୁ ଆଦିବାସୀମାନେ ଶିକ୍ଷାଠାରୁ ଦୂରରେ ଥିବା ବେଳେ ବର୍ତ୍ତମାନ ସମ୍ପ୍ରଦାୟର ଅନେକ ପିଲା ଶିକ୍ଷିତ ହେଉଛନ୍ତି। ନିର୍ବାଚିତ ହେଲେ ନିଜ ଅଞ୍ଚଳର ବିକାଶ ସହ ସମଗ୍ର ବ୍ଳକର ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବେ ବୋଲି ସେ କହିଛନ୍ତି ।
ମୁଖ୍ୟତଃ ଶିକ୍ଷାକୁ ସେ ଅଧିକ ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଛନ୍ତି । ଆଦିବାସୀ ଅଧୁଷିତ ଏହି ଜିଲ୍ଲାରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବେ ନିର୍ବାଚନ ମୈଦାନରେ ପହଞ୍ଚିଛନ୍ତି । ଟୁନି ଏକ ଦୃଢ ଲକ୍ଷ୍ୟ ନେଇ ନିର୍ବାଚନ ଲଢୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିଛି ସେ ନିର୍ବାଚନରେ ବିଜୟିନୀ ହେଲେ ବାସ୍ତବରେ କଣ ବଦଳିବ ଏହି ଦୁର୍ଗମ ଅଞ୍ଚଳର ଚିତ୍ର ? ଏହା ତ ସମୟ କହିବ ନିଶ୍ଚିତ । ତେବେ ଏଠାକାର ଭୋଟର ତାଙ୍କୁ ଜୟଯୁକ୍ତ କରାଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ