ରାୟଗଡା: ବିଷମକଟକ ବ୍ଲକ ବାଲିପଦର ଗ୍ରାମରେ ବଜ୍ରଘାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବାଲିପଦର ଗ୍ରାମର ଧନମଣି କୁମୁରିକା (୫୧), ସୁନାମାଳି କୁମୁରିକା (୫୫) ଓ ସନ୍ନ୍ୟାସୀ କୁମୁରିକା (୫୦) ଗାଁ ନିକଟ ଜଙ୍ଗଲକୁ ଯାଇ ଘରକୁ ଫେରୁଥିଲେ। ତେବେ ରାସ୍ତାରେ ହଠାତ୍ ବର୍ଷା ଓ ପବନ ହେବାରୁ ସମସ୍ତେ ଏକ ତେନ୍ତୁଳି ଗଛ ମୂଳେ ଆଶ୍ରୟ ନେଇଥିଲେ।
ଏହି ସମୟରେ ତେନ୍ତୁଳି ଗଛ ନିକଟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ହିଁ ଧନମଣିଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନାମାଳି ଓ ସନ୍ନ୍ୟାସୀ ଗୁରୁତର ହୋଇଥିଲେ । କୌଣସି ପ୍ରକାରେ ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିବାରୁ ପ୍ରାଥମିକ ଚିକିତ୍ସା ପରେ ସୁନାମାଳି ଓ ସନ୍ନ୍ୟାସୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବିଷମକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ବିଷମକଟକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ