ରାୟଗଡା: ପ୍ରବାଦ ପୁରୁଷଙ୍କ ଜନ୍ମ ଜୟନ୍ତୀରେ ସାମ୍ନାକୁ ଆସିଲା ବିଜେଡିର ଗୋଷ୍ଠୀ କନ୍ଦଳ । ରାୟଗଡା ସହରରେ ଓଡିଶାର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତି ଆଡମ୍ବର ସହକାରେ ପାଳିତ ହେଇଥିଲା । ରାୟଗଡା ସହରସ୍ଥିତ ନୂଆ ବସଷ୍ଟାଣ୍ଡଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜୁବାବୁଙ୍କ ୧୦7ତମ ଜନ୍ମ ଜୟନ୍ତୀ ଅବସରରେ ଦଳରେ ଥିବା ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା ।
ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତା ୟାଲା କୋଣ୍ଡବାବୁ ନିଜନିଜ ସମର୍ଥକଙ୍କ ସହ ଆସି ବସଷ୍ଟାଣ୍ଡ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦୁଇ ଗୋଷ୍ଠୀ ନିଜ ପତିଆରା ଦେଖାଇବାକୁ ପୂରା ଦମ୍ ଲଗାଇ ଦେଇଥିଲେ । କୋଣ୍ଡାବାବୁଙ୍କ ସମର୍ଥକ ମାନେ ସିରିଗୁଡା ଛକ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା ବିଜେଡି ଜିଲ୍ଲା ଆଇନ ପରାମର୍ଶଦାତା ବ୍ରଜସୁନ୍ଦର ନାୟକ, ବରିଷ୍ଠ ବିଜେଡି ନେତା ପି.ଗୌରୀ ଶଙ୍କର ରାଓ, ଆଦି ପ୍ରମ୍ମୁଖ ଉପସ୍ଥିତ ଥିଲେ । ପୁଷ୍ପମାଲ୍ୟ ପରେ ସମସ୍ତ କର୍ମୀ ଓ ନେତା ରାୟଗଡା ମୁଖ୍ୟ ଚିକିତ୍ସାଳୟ ଯାଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସେମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
ସେହିପରି ଏନ. ଭାସ୍କର ରାଓଙ୍କ ସମର୍ଥକମାନେ ନିଜ ବାସଭବନରୁ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ବାହରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁଙ୍କ ସ୍ମୃତିଚାରଣ ପାଇଁ ସ୍ଥାନୀୟ ଅଶୋକ ମଣ୍ଡପଠାରେ ଏକ ସାଧାରଣ ସଭାର ଅୟୋଜନ କରିଥିଲେ । ଏନ.ଭାସ୍କର ରାଓଙ୍କ ନେତୃତ୍ବରେ ଆୟୋଜିତ ସଭାରେ ପୂର୍ବତନ ଉପ-ବାଚସ୍ପଚି ତଥା ବରିଷ୍ଠ ନେତା ଲାଲବିହାରୀ ହିମିରିକା, ରାଜ୍ୟ ସମ୍ପାଦକ ଜଗଦିଶ ପାତ୍ର, ପୌରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ଆଜିର ଏହି ଜୟନ୍ତୀ ପାଳନ ପାଇଁ ଦୀର୍ଘ ସପ୍ତାହ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଚକା ପଞ୍ଝା ଲାଗି ରହିଥିଲା । ଆଜିର ଜୟନ୍ତୀ ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲୋକ ସମାଗମ ନେଇ ଏକ ପ୍ରକାର ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା । ସବୁଠାରୁ ବଡ କଥା ଯଦିଓ ରାଜ୍ୟ ବିଜେଡି ସଂଗଠନ ତରଫରୁ ଜିଲ୍ଲା ସଭାପତି ସୁଧୀର ଦାସଙ୍କୁ ଗୁଣପୁର ଏବଂ ବିଷମକଟକ ଦାଇତ୍ଵ ଦିଆଯାଇଛି। ମାତ୍ର ସ୍ଵାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ନେତୃତ୍ବରେ ଜିଲ୍ଲା ସଦର ମହକୁମାରେ ସମାନ୍ତରାଳ କାର୍ଯ୍ୟକ୍ରମକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଜନସାଧାରଣ ।