ରାୟଗଡ଼ା: ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଡାକ୍ତରଖାନା ବାରଣ୍ଡାରେ ପ୍ରସବ କଲେ ଗର୍ଭବତୀ (pregnant women gives birth to baby boy on tikiri hospital porch ) । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ । ଏହି ବ୍ଲକରେ ରହୁଥିବା ମୀନତି ବାଘଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ଏନେଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ (tikiri hospital at Rayagada)। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀ ମେଡିକାଲରେ ଅନୁପସ୍ଥିତ ଥିଲେ ।
କିଛି ସମୟର ଅପେକ୍ଷା ପରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ଆସିନଥିଲେ । ଏପଟେ ଗର୍ଭଯନ୍ତ୍ରଣା ଆରମ୍ଭ ହେବା ପରେ ମୀନତି ମେଡିକାଲ ବାରଣ୍ଡାରେ ପ୍ରସବ କରିଥିଲେ (women gives birth to baby boy on hospital porch)। ଟିକିରି ପିଏଚସିରେ ଡାକ୍ତରଙ୍କ ସହ କର୍ମଚାରୀଙ୍କ ତାଳମେଳ ରହୁନଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ଅଭିଯୋଗ ହେଉଛି । ତେଣୁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଗୋଟେ ପଟେ ଗର୍ଭବତୀଙ୍କ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । ହେଲେ ଯୋଜନା ଯୋଜନା ବାଟରେ ରହିଛି । ଏମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚୁ ନଥିବାରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଗର୍ଭବତୀ । କେଉଁଠି ରାସ୍ତା ନଥାଇ ଗର୍ଭବତୀ କେବେ ଖଟିଆରେ ବୁହା ହେଉଛନ୍ତି ତ କେତେବେଳେ ଚୌକିରେ ବୁହା ଯାଉଛନ୍ତି । ଆଉ କେଉଁଠି ଉପଯୁକ୍ତ ଚିକିତ୍ସା ପାଉ ନାହାଁନ୍ତି ଗର୍ଭବତୀ ।
ଟିକିରି ଡାକ୍ତରଖାନାରେ ଦୀର୍ଘଦିନ ଧରି ଡାକ୍ତର ନଥିବାରୁ ଅନେକ ରୋଗୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏପରିକି କିଛି ରୋଗୀ ମୃତ୍ୟୁ ମୁଖକୁ ଠେଳି ହେଇ ଯାଉଥିବା ନଜିର ରହିଛି । ଅନ୍ୟପକ୍ଷରେ ହସ୍ପିଟାଲରେ ଡାକ୍ତର ନଥିବାରୁ କେହି ରୋଗୀ ଆସିଲେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଏ । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅନେକ କଷ୍ଟ ଭୋଗିଥାନ୍ତି । ତେଣୁ ଏଥିପ୍ରତି ସ୍ଵାସ୍ଥ୍ୟ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଇଟିଭି ଭାରତ, ରାୟଗଡ଼ା