ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଖାଲି ସେତିକି ନୁହେଁ, କାଉନସିଲର ପଦ ପାଇଁ ମୋଟ ୯୪ ଜଣ ନାମାଙ୍କନ ଦାଖଲ କରିଛନ୍ତି । ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଥିଲା ଶେଷଦିନ । ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି ।
ପୌରାଧ୍ୟକ୍ଷ ପଦବୀ ସମେତ ୨୪ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ବିଜେପି ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ପଦ୍ମନାଭ ଦାଶ, ବିଜେଡି ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ପି.ମହେଶ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ପୈାରାଧ୍ୟକ୍ଷ ପାଇଁ ଆପଲାସ୍ୱାମୀ କାଡ୍ରାକା ନାମାଙ୍କନ ଭରିଛନ୍ତି ।
ସେହିଭଳି ବିଏସପି ପକ୍ଷରୁ ପ୍ରାର୍ଥୀ ରାମ ବତ୍ରା, ଆପ୍ ପକ୍ଷରୁ ଜନ୍ମେଜୟ ସ୍ୱାଇଁ, ସ୍ୱାଧୀନ ପ୍ରାର୍ଥୀ ଗୋଟା ସତିଶ କୁମାର, ମମତା ମାଝି, ୟେଲେଗେଡ଼ା ବାବୁରାଓ, ୟେଲେଗେଡ଼ା ରାଜା ପୌରାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ରାୟଗଡ଼ା ସହରର ଭୋଟର ଏଥର ପରିବର୍ତ୍ତନ ଚାହୁଁଥିବା କଥା କହିଛି ବିଜେପି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କୁ ପାଖକୁ ଯିବାକୁ ଚିନ୍ତା କରିଛି ବିଜେଡି । ଅପରପକ୍ଷରେ ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଭିଯୋଗ କରିଛି କଂଗ୍ରେସ । ଏଥିପାଇଁ ପୁନର୍ବାର ନିଜ ଗଡ଼ ଫେରିପାଇବାରେ ଏଥର ସକ୍ଷମ ହେବ ବୋଲି କହିିଛି କଂଗ୍ରେସ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ