ରାୟଗଡ଼ା: ଜାଗର ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାୟଗଡ଼ା ଜିଲ୍ଲା । ଦେବଗିରିଠାରୁ ଆରମ୍ଭ କରି ମିନାଝୋଲା ପର୍ଯ୍ୟନ୍ତ ସବୁଠି ଶିବ ଭକ୍ତଙ୍କ ଭିଡ଼ ଲାଗିଛି । ରାୟଗଡ଼ା ଜିଲ୍ଲାର ବିଭିନ୍ନ ଶୈବପୀଠରେ ସମସ୍ତେ ମହାଦେବଙ୍କ କୃପା ପାଇବାକୁ ଲମ୍ବା ଲାଇନ ଲଗାଇଛନ୍ତି । କଲ୍ୟାଣସଂହପୁର ବ୍ଲକରେ ଦେବଗିରି , ଚନ୍ଦ୍ରପୁର ବ୍ଲକରେ ମିନାଝୋଲା, କଲୋନରା ବ୍ଲକରେ ପାଇକପଡ଼ା ଏବଂ ରାୟଗଡ଼ା ବ୍ଲକର ପେରିଗାଁ ପ୍ରସିଦ୍ଧ ଶୈବ ପୀଠ ନାମରେ ବେଶ ଜଣାଶୁଣା ।
ଆଜି ଏହି ସବୁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଜନସମାଗମ ହୋଇଛି । ନିରୋଳା ଶାନ୍ତ ପରିବେଷ ମଧ୍ୟରେ ଦେବଗିରିରେ ଗୋଟିଏ ପଥରର ପାହାଡ ଉପରେ ବିରାଜମାନ ବାବା ପଞ୍ଚମୁଖେଶ୍ବର । ଲୋକୋକଥା ଅନୁଯାୟୀ ପାହାଡ ଉପରେ ଗଙ୍ଗା, ଯମୁନା, ସରସ୍ୱତୀ ଭଳି ୧୦୦ରୁ ଊର୍ଦ୍ଧ ପଥର ପୋଖରୀ ରହିଛି । ଖରା, ବର୍ଷା କିମ୍ବା ଶୀତରେ ଏହି ପୋଖରୀରେ ସମାନ ପରିମାଣର ପାଣି ରହିଥାଏ ବୋଲି ବିଶ୍ବାସ ରହିଛି ।
ଏହି ପୋଖିରୀରେ ଗାଧୋଇ ଶିବଙ୍କୁ ଦର୍ଶନ କରିଲେ ଦେହର ଦୁରାରୋଗ ଦୂର ହୋଇଥାଏ ବୋଲି ବିଶ୍ବାସ କରାଯାଏ । କେଉଁ ଆବାହମାନ କାଳରୁ ଏହି ସ୍ଥାନର ବିଶେଷ ମହତ୍ୱ ରହିଥିବାରୁ ଆଜି ଓଡ଼ିଶା ସହ ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡର ହଜାର ହାଜର ଭକ୍ତଙ୍କ ଭିଡ ଦେବଗିରିରେ ଦେଖିବାକୁ ମିଳିଛି । ସେହିପରି ମୀନାଝୋଲା ମଧ୍ୟ ବହୁ ପୁରାତନ ଶୈବପୀଠ । ଫଳଫଳିଆ, ଚାଉଳଧୂଆ ଓ ବଂଶଧରାର ସଙ୍ଗମ ସ୍ଥଳରେ ରହିଥିବାରୁ ଏହାକୁ ସ୍ଥାନୀୟ ଲେକେ ତ୍ରୀବେଣି ସଙ୍ଗମ ବୋଲି ମଧ୍ୟ କୁହନ୍ତି । ଏଠି ମହାଦେବ ନଦୀଗର୍ଭରେ ପଥର ଖୋଳ ଭିତରେ ମତ୍ସ୍ୟ ଆକୃତିରେ ପୂଜା ପାଉଛନ୍ତି ।
ଏଠାରେ ମଧ୍ୟ ଆଜି ଭୋରରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସେହିଭଳି ଲାଙ୍ଗୁଲ୍ୟା ନଦୀ କୂଳରେ ଥିବା ଦେଉଳୀ ପାହାଡ଼ ପାଦଦେଶରେ ଶୈବ, ବୌଦ୍ଧ ଏବଂ ଶାକ୍ତ ପରମ୍ପରାର ବାର୍ତ୍ତା ବାଟୁଂଥିବା ପାଇକପଡାର ଶିବଙ୍କ ପୀଠ ପାତାଳେଶ୍ୱର ମନ୍ଦିରରେ ମଧ୍ୟ ଜାଗର ଜାଳିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ