ରାୟଗଡା: ବିଶ୍ବାସରେ ବନ୍ଧା ଲାଞ୍ଜିଆ ସଉରା ସମ୍ପ୍ରଦାୟ । ପରମ୍ପରା, ରୀତିନୀତି, ବେଶଭୂଷା, ପରିପାଟି ଏସବୁରେ ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ । ସେଥିପାଇଁ ତ ଏକବିଂଶ ଶତାବ୍ଦୀରେ ବି ବଞ୍ଚି ରହିଛି ଲାଞ୍ଜିଆ ସଉରାଙ୍କ ଭିନ୍ନ ଦୁନିଆ ସହିତ କଥୋପକଥନ ପ୍ରଥା । ଅଲୌକିକ ଶକ୍ତିର ପରିଚାଳନାରେ ତିଷ୍ଠି ରହିଛି ଏମାନଙ୍କ ସମାଜ । ସମାଜର ଭଲମନ୍ଦ ଏହି ଶକ୍ତି ଦ୍ବାରା ନିୟନ୍ତ୍ରିତ ହେଉଥିବା କୁହନ୍ତି ସେମାନେ । ଯେତେବେଳେ ସେମାନେ ଦୁଃଖ, ଦୁର୍ଦ୍ଦିନ, ରୋଗବ୍ୟାଧୀ କିମ୍ବା ଦୁର୍ବିପାକର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ପିତୃପୁରୁଷଙ୍କୁ ନିଜ ଶରୀରରେ ଆବାହନ କରି ସୁସ୍ଥତା ଲାଭ କରିଥାନ୍ତି । ଏ ଦୃଶ୍ୟ ହେଉଛି ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସଂ ପଚାଂୟତର ଆଲେଙ୍ଗଆଲ ଗାଁର ।
ସେମାନଙ୍କ ଧାରଣା ପିତୃ ପୁରୁଷଗଣ ଅଲୌକିକ ଶକ୍ତିମାନଙ୍କ ସହିତ ଏଣେତେଣେ ବିଚରଣ କରିଥାନ୍ତି । ଆଉ ସେମାନଙ୍କୁ ସ୍ମରଣ କଲେ ଅର୍ଥାତ ସେମାନଙ୍କୁ ସନ୍ତୁଷ୍ଟ କଲେ ଘର ଓ ପରିବାରର ମଙ୍ଗଳ ହୁଏ । ସଉରା ସମ୍ପଦାୟର ସମସ୍ତେ ଏହି ବିଦ୍ୟାରେ ନିପୁଣ ନଥାନ୍ତି । କେତୋଟି ଗାଁ ପାଇଁ ଜଣେ କିମ୍ବା ଦୁଇଜଣଙ୍କ ପାଖରେ ଭିନ୍ନ ଦୁନିଆର ଶକ୍ତିଙ୍କ ସହିତ କଥା ହେବାର କ୍ଷମତା ରହିଥାଏ । ଏହି ବିଦ୍ୟାରେ ନିପୁଣ ଥିବା ପୁରୁଷଙ୍କୁ ସୌରା ଭାଷାରେ କୁଡ଼ୁମ୍ବାର ଏବଂ ସ୍ତ୍ରୀ ଲୋକଙ୍କୁ କୁଡ଼ୁମ୍ବୟ ବୋଲି କୁହାଯାଇଥାଏ । ତେବେ ସାଧାରଣତଃ ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକରୁ ଅଧିକ ଏହି ଆରାଧନା କରିଥାନ୍ତି । ବିଜ୍ଞାନ ଯାହାକୁ ସ୍ପିରିଟ କଲର ମାନ୍ୟତା ଦେଇଛି କେଉଁ ଆବାହମାନ କାଳରୁ ସୌରା ସମ୍ପଦାୟରେ ଏହି ବିଦ୍ୟାର ପ୍ରଚଳନ ହୋଇ ଆସୁଛି । ସୌରା ଜନଜାତିଙ୍କ ଏହି ନିଆରା ପ୍ରଥା ଆଜିବି ଜୀବିତ ବୋଲି ତାହା ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା ଅସମ୍ଭବ ପ୍ରାୟ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ