ରାୟଗଡ଼ା: ମୋବାଇଲ ଚୋରି ଖବର ଶୁଣିଥିବେ, ହେଲେ କେବେ ମୋବାଇଲ ଟାୱାର ଚୋରି ଖବର ଶୁଣିନଥିବେ । ରାୟଗଡାରେ ମୋବାଇଲ ଟାୱାର ଚୋରି ଉଦ୍ୟମ କରି ଜମି ମାଲିକଙ୍କ ପୁଅ ଧରାପଡିଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା କାଶୀପୁର ବ୍ଲକ୍ ସ୍ଥିତ ମୁଣ୍ଡାଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, ମୁଣ୍ଡାଗାଁ ଗ୍ରାମର ସ୍ବର୍ଗତ ପ୍ରହ୍ଲାଦ ପାତ୍ରଙ୍କ ଜମିରେ ଗତ ୨୦୦୬ ମସିହାରେ ରିଲିଆନ୍ସ ତରଫରୁ ଏକ ଟାୱାର ପ୍ରତିଷ୍ଠା କରଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା । ଏହି ଟାୱାରର ସମସ୍ତ ଅଂଶ ବିଶେଷକୁ ଉକ୍ତ ଜମି ମାଲିକଙ୍କ ସାନପୁଅ ଯୋଗେଶ୍ୱର ପାତ୍ର ଏକ ସ୍କ୍ରାପ ପାର୍ଟିକୁ ବିକ୍ରୀ କରିଥିବା ନେଇ ତାଙ୍କ ବଡପୁଅ ବିମଳେଶ୍ଵର ପାତ୍ର ଏକ ଏତଲା ଟିକିରି ଥାନାରେ ଦେଇଥିଲେ । ସେପଟେ ଯୋଗେଶ୍ୱର ପାତ୍ର ରିଲିଆନ୍ସର କୌଣସି ଅଧିକାରୀଙ୍କୁ ନ ଜଣାଇ ରାତି ଅଧିଆ ବିକ୍ରୀ କରିବା ପାଇଁ ଏକ ସ୍କ୍ରାପ ପାର୍ଟିକୁ ନିୟୋଜିତ କରିଥିଲେ । କିଛି ଗ୍ରାମବାସୀ ଏନେଇ ପଚାରିବାରୁ ସେମାନଙ୍କୁ ମାରପିଟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଏନେଇ ଗାଁରେ କୌଣସି ଲୋକ ମୁହଁ ଖୋଲୁ ନ ଥିବାବେଳେ ଟିକିରି ଥାନା ଭାରପ୍ରାପ୍ତ ଅଧିକାରୀ ବନ୍ଦନା ନାୟକ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଯୋଗେଶ୍ୱର ପାତ୍ରଙ୍କ ସହ ଉକ୍ତ ୩ ଜଣ ସ୍କ୍ରାପ୍ ବେପାରୀ ହେଲେ ସାଜିଦ୍, ସାହିଲ ଓ ଆୟୁବ ଖାନ । ଏମାନେ ସମସ୍ତେ ଉତ୍ତରପ୍ରଦେଶର ମିରଟ ସହର ବାସିନ୍ଦା । ପୋଲିସ ସେମାନଙ୍କୁ ଟିକିରି ଥାନାରେ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି । ପୋଲିସ ଟାୱାର ସାମଗ୍ରୀ ସହିତ ଦୁଇଟି ଗାଡ଼ିକୁ ଜବତ କରିଛି ।
ଇଟିଭି ଭାରତ, ରାୟଗଡା