ରାୟଗଡା: କଣ୍ଟେନର ଚାପାରେ ଦୁଷ୍କର୍ମ ଅଭିଯୁକ୍ତ ସନ୍ତୋଷ ପଣ୍ଡୁର ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି ବିଚାରବିଭାଗୀୟ ତଦନ୍ତ । ଏନେଇ ରାୟଗଡା ଏସଡିଜେଏମ ରାଜେନ୍ଦ୍ର କୁମାର ଦାଶ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଟିକିରି ଥାନାର ଦୁଇ କନେଷ୍ଟବଳ ସନ୍ତୋଷ ଶବର ଓ ଆର୍. ଏନ୍. ଶବରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ଏସପି ଶ୍ରବଣ ବିବେକ ଏମ୍ ।
![rape accussed died in accident in rayagada, rape accussed died in accident, rayagada latest news, rape accussed died getting hit by container, ରାୟଗଡାରେ ଦୁର୍ଘଟଣାରେ ଦୁଷ୍କର୍ମ ଅଭିଯୁକ୍ତ ମୃତ, ଦୁର୍ଘଟଣାରେ ଦୁଷ୍କର୍ମ ଅଭିଯୁକ୍ତ ମୃତ, ରାୟଗଡା ଲାଟେଷ୍ଟ ନ୍ୟୁଜ୍, ରାୟଗଡାରେ କଣ୍ଟେନର ଚାପାରେ ଦୁଷ୍କର୍ମ ଅଭିଯୁକ୍ତ ମୃତ](https://etvbharatimages.akamaized.net/etvbharat/prod-images/od-rgda-2-accidentdeathrajudiciaryinquiry-dry-7202782_18072020164244_1807f_1595070764_1047.jpeg)
ସୂଚନା ଅନୁଯାୟୀ ଟିକିରି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଗତ 12 ତାରିଖ ରାତିରେ ଟିକିରି ପୋଲିସ ସନ୍ତୋଷ ପଣ୍ଡୁଙ୍କୁ ବିଷମକଟକରୁ ଗିରଫ କରିଥିଲା । 13 ତାରିଖ ପୂର୍ବାହ୍ନରେ ପୀଡ଼ିତା ଛାତ୍ରୀ ଓ ସନ୍ତୋଷର ରାୟଗଡା ମେଡ଼ିକାଲରେ ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହାପରେ ସନ୍ତୋଷକୁ କୋର୍ଟ ଚାଲାଣ କରିବା ପାଇଁ ରାୟଗଡ଼ା ଥାନାରେ ରଖାଯାଇଥିଲା । ତେବେ ନିଜ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜାଣି ସନ୍ତୋଷ ପୋଲିସ କବଳରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା ।
ଏହି ସମୟରେ ସେ ସୁରକ୍ଷା ଦାୟିତ୍ବରେ ଥିବା ଦୁଇ କନେଷ୍ଟବଳକୁ ବାନ୍ତି ଆସୁଥିବା କହି ଥାନା ବାହାରକୁ ଆସିବା ପରେ ଫେରାର ଉଦ୍ୟମ କରୁଥିଲା। ହେଲେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ପିଟି ହୋଇ ଚକା ତଳେ ପଡ଼ି ଯାଇଥିଲା ସନ୍ତୋଷ । ଗୁରୁତର ଅବସ୍ଥାରେ ସନ୍ତୋଷକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଦୁର୍ଘଟଣାର 48 ଘଣ୍ଟା ପରେ ଅର୍ଥାତ୍ ଜୁଲାଇ 15 ତାରିଖ ସନ୍ଧ୍ୟାରେ ଏସପି ଡ଼ଃ ଶ୍ରବଣ ବିବେକ ଏମ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି), ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଏଡିଜି କ୍ରାଇମ ଓ ଜିଲ୍ଲା ଜଜ୍ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।
ରିପୋର୍ଟ ପାଇବା ପରେ ଜିଲ୍ଲା ଜଜ୍ଙ୍କ ନିର୍ଦ୍ଦେଶରେ ଏସଡିଜେଏମ ରାଜେନ୍ଦ୍ର କୁମାର ଦାଶ ଶନିବାର ଦିନ 11ଟାରେ ରାୟଗଡା ଥାନାରେ ପହଞ୍ଚି କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର ସମୟରେ ଦୁର୍ଘଟଣାର ଶିକାର ହେଲା ସେନେଇ ଟିକିନିଖି ତଦନ୍ତ କରିଥିଲେ । ଏଥସହ ଥାନା ସମ୍ମୁଖରେ ଥିବା ଦୁର୍ଘଟଣାଗ୍ରସ୍ତ କଣ୍ଟେନରକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ତେବେ ଆସନ୍ତା ସୋମବାର ମୃତ ସନ୍ତୋଷଙ୍କ ସ୍ତ୍ରୀ, ପରିବାରବର୍ଗ, କଣ୍ଟେନର ଡ୍ରାଇଭର, ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ସୀ, ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିବା ପୋଲିସ, ଚିକିତ୍ସା ଓ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ବୟାନ ରେକର୍ଡ କରାଯିବା ନେଇ ସୂଚନା ରହିଛି ।
ସେପଟେ ଏସଡିଜେଏମ୍ଙ୍କ ତଦନ୍ତ ସମୟରେ ଘଟଣାର ପ୍ରାଥମିକ ତଦନ୍ତ କରୁଥିବା ଡିଏସପି ବଟ ମିଶ୍ର, ରାୟଗଡା ଏସଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ