ରାୟଗଡା: ଜେକେ କାଗଜକଳର ଅଧିକାରୀଙ୍କ କୋରୋନା ଟିକା ନେବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରକୃତ କୋରୋନା ଯୋଦ୍ଧାଙ୍କୁ ଏଯାଏଁ ଟିକା ମିଳିନଥିବା ବେଳେ ନିଜକୁ ଆତ୍ମ ଘୋଷିତ କୋରୋନା ଯୋଦ୍ଧାର ଯୁକ୍ତି ଦର୍ଶାଇ କାଗଜକଳର ଅଧିକାରୀମାନେ ଟିକା ନେବା ପରେ ଏବେ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣା ଉପରେ ପରଦା ପକେଇବା ପାଇଁ ତରବରିଆ ଭାବରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦିଗହୀନ ୨୪ ଘଣ୍ଟିଆ ତଦନ୍ତ ନିର୍ଦ୍ଦେଶ ପ୍ରକୃତ ଦୋଷୀକୁ ଧରିବା ସହ ସତ୍ୟ ପଦାକୁ ଆସିବା ନେଇ ସନ୍ଦେହ ଦେଖାଦେଇଛି ।
ଅନୁସନ୍ଧାନରୁ ଜଣାଯାଇଛି, ଜେକେ କାଗଜକଳର ଡିସ୍ପେନସେରୀରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଝାଡୁଦାର ଅର୍ଥାତ ସରକାରଙ୍କ ଦ୍ଵାରା ଚିହ୍ନଟ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେକେ କାଗଜକଳର କର୍ତ୍ତୃପକ୍ଷଙ୍କୁ ମଗାଯାଇଥିଲା । କାରଖାନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ୨୬ ଜଣଙ୍କ ତାଲିକା ପଠାଯାଇଥିଲା । ତେବେ ସେହି ତାଲିକା ମଧ୍ୟରୁ ହାତଗଣତି ପ୍ରକୃତ କୋରୋନା ଯୋଦ୍ଧା ରହିଥିବା ବେଳେ ଜେକେ କାଗଜକଳର ଅଧିକାରୀ ରହିଥିବା ଜଣାପଡିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଜେକେ ଡିସ୍ପେନସେରୀ ସହ ଜଡିତ ଥିବା ଓ କୋରୋନା କାଳରେ ସେବା ଯୋଗାଇଥିବା ବାହାନାରେ ନିଜକୁ ଆତ୍ମ ଘୋଷିତ ଆଗଧାଡିର କୋରୋନା ଯୋଦ୍ଧାର ଯୁକ୍ତି ଦର୍ଶାଇ ଯେଉଁ ଅଧିକାରୀମାନେ ଗତ ୬ ତାରିଖରେ ଟିକା ନେଇଥିଲେ । ସେମାନଙ୍କୁ ନିୟମ ମୁତାବକ ୨୮ ଦିନ ପରେ ଏବଂ 38 ଦିନ ମଧ୍ୟରେ ଟିକାର ଦ୍ବିତୀୟ ଡୋଜ୍ ଦିଆଯିବ ନା ନାହିଁ ସେନେଇ ମଧ୍ୟ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।
ସବୁଠାରୁ ବଡ କଥା ଗତ ୭ ତାରିଖ ଦିନ ରାୟଗଡା ସିଡିଏମ୍ଓ ଡ. ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦ୍ଦେଶରେ ଏଡିଏମ ତଥା ଜିଲ୍ଲା ଟୀକାକରଣ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ମିଳିବା ପରେ ସେ ଏହି ରିପୋର୍ଟକୁ ରାଜ୍ୟ ଟୀକାକରଣ ପ୍ରାଧୀକରଣକୁ ପଠାଇ ଦେବାସହ ଆଗକୁ ନିର୍ଦ୍ଦେଶ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ