ରାୟଗଡା: ଜିଲ୍ଲାରେ ୭୨ ଘଣ୍ଟାରେ ଚିହ୍ନଟ ହେଲେଣି ୪୨୨ ପଜିଟିଭ୍ । ଅର୍ଥାତ ୩ ଦିନରେ ରାୟଗଡା ଜିଲ୍ଲାରୁ ୪୨୨ ପିଜିଟିଭ୍ ଚିହ୍ନଟ ହେଲେଣି । ଦୈନିକ ଶହେରୁ ଊର୍ଦ୍ଧ୍ୱ ପିଜିଟିଭ୍ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ତେବେ ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ପିଜିଟିଭ୍ ସଂଖ୍ୟା ବଢୁଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।
ଏଥିସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଣ୍ଟିଜେନ ଆଗ୍ରେସିଭ୍ କୋଭିଡ୍ ପରୀକ୍ଷା କରାଯାଉଛି । ଜିଲ୍ଲାର ୧୧ ଗୋଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପ୍ରଶାସନ ତରଫରୁ ଟିମ ଗଠନ କରାଯାଇ କୋଭିଡ୍ ପରୀକ୍ଷାକୁ ଜୋରଦାର୍ କରାଯାଇଛି । ରାୟଗଡା ଜିଲ୍ଲାରୁ ଆଜି ୧୬୦ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ କୋଭିଡ ୧୯ ନୋଡାଲ ଅଧିକାରୀ ଅମ୍ରିତ ରୁତୁରାଜ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୬୦ ଜଣଙ୍କ ମଧ୍ୟରୁ ୧୦୦ ଜଣ ପୁରୁଷ ଥିବା ବେଳେ ୬୦ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି ।
୧୨୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି । ରାୟଗଡା ସହରରୁ ୧୬, ରାୟଗଡା ଗ୍ରାମାଞ୍ଚଳରୁ ୨୧, ଗୁଣପୁର ସହରରୁ ୧୭, ଗ୍ରାମାଞ୍ଚଳରୁ ୧୩, ରାମନାଗୁଡାରୁ ୮, ମୁନିଗୁଡାରୁ ଆଜି ସର୍ବାଧିକ ୨୩, କଲ୍ୟାଣସିଂହପୁରରୁ ୨୧, କାଶିପୁରରୁ ୧୪, ଗୁଡାରୀ ୧୪, ଚନ୍ଦ୍ରପୁରରୁ ୭ ଏବଂ ବିଷମକଟକରୁ ୬ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬୦ ଜଣ ପିଜିଟିଭଙ୍କ ମଧ୍ୟରୁ ୧୭ ଜଣ କୋରୋନା ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି । ଏଥି ସହ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨ ଜଣ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସିଥିବା ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୨୨୬୬ ଜଣ ଚିହ୍ନଟ ହୋଇଥିବାବେଳେ ୧୩୦୩ ଜଣ ସୁସ୍ଥଲାଭ କରିଛନ୍ତି । ୧୪ ଜଣ କରୋନା ସଂକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୯୦୯ ଜଣ କୋରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ କୋରୋନା ଯୋଦ୍ଧା ବହୁ ମାତ୍ରାରେ ଆକ୍ରାନ୍ତ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୩୪୮ ଜଣ କୋରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାବେଳେ ୨୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୪୧ ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାବାସୀ ଭୟଭୀତ ନ ହୋଇ ସତର୍କ ସହ ସଚେତନ ରହିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି । ଏଥି ସହ ରାଜ୍ୟ ସରକାର ଜାରି କରିଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ