ରାୟଗଡା: ରାଜ୍ୟ ସରକାରଙ୍କ ନିଦ ହଜେଇ ଦେଇଛି କୋଟିଆ ବିବାଦ । ସୀମାନ୍ତ ଗାଁରେ ପ୍ରଶାସନିକ ଅଧିକାରୀମାନେ ରଖୁଛନ୍ତି କଡା ନଜର । ଏବେ କେବଳ କୋରାପୁଟ ନୁହେଁ ରାୟଗଡା, ମାଲକାନଗିରି, ଗଜପତି ଓ ଗଞ୍ଜାମ ସୀମାରେ ପ୍ରତିଦିନ ପଇଁତରା ମାରୁଛନ୍ତି ପ୍ରଶାସନିକ ଅଧିକାରୀ ।
ଏହି ପରିପ୍ରେକ୍ଷୀରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ବୋରହାଲୁଆ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଆନ୍ଧ୍ର ସୀମାନ୍ତରେ ଥିବା ରାୟଗଡା ବ୍ଲକର ମିରାବାଲି, ଦୁର୍ଗାପାଡ଼ୁ, ଗାଜିଗାଁ ଓ ବୈରାଗୀହାଲୁଆ ପଞ୍ଚାୟତର ବିଭିନ୍ନ ଗାଁରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ରାୟଗଡା ତହସିଲଦାର ଉମା ଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଏବଂ ରାଜସ୍ବ ସୁପରଭାଇଜର ମଲ୍ଲିକାର୍ଜୁନ ।
କୋଟିଆ ବିବାଦ ପରେ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜିଲ୍ଲାର 61 ଗାଁ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ରାଜସ୍ବ ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ ମୁତାବକ, ସୀମାନ୍ତ ଗାଁରେ ଆନ୍ଧ୍ରର ସରକାରଙ୍କ ଅନୁପ୍ରବେଶ ରୋକିବା ସହ ସେଠାକାର ଲୋକଙ୍କୁ ପ୍ରଶାସନର ଉପସ୍ଥିତି ଜାହିର କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ ।
ପ୍ରଥମେ ଟିମ୍ ମିରାବାଲି ପଞ୍ଚାୟତର ସୁରଣି ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛି । ଆନ୍ଧ୍ର ସୀମାନ୍ତ ଗାଁକୁ ସୁରଣି ଲାଗିଥିବାରୁ ଆନ୍ଧ୍ରର ଗତିବିଧି ଓ ଆନ୍ଧ୍ର ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତହସିଲଦାର ଓ ବିଡିଓ ଗ୍ରାମବାସୀଙ୍କୁ ପଚାରି ବୁଝିଛନ୍ତି ।
ତେବେ ଗତ 13 ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଉକ୍ତ ନିର୍ବାଚନରେ ଗ୍ରାମର କୌଣସି ଲୋକ ଭୋଟ ଦେଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହା ପରେ ଟିମ୍ ରେଙ୍ଗାଲପାଡ଼ୁ, ସାନ୍ଧୁବାଡି ଗ୍ରାମ ପରିଦର୍ଶନରେ ଯାଇଥିଲା ।
ଗାଁରେ ଚାଲିଥିବା ସରକାରଙ୍କ ବିକାଶମୂଳକ କାମର ତଦାରଖ କରିବା ସହ ଟିମ୍, ସୁବିଧା ଓ ଅସୁବିଧା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛି । ସରକାରୀ ଯୋଜନା ଓ ହିତାଧିକାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଭତ୍ତା, ଚାଉଳ, ଆବାସ ଯୋଜନାରେ ଘର କିମ୍ବା ମନରେଗାରେ କାମ ଠିକ୍ ଭାବରେ ମିଳୁଛି କି ନାହିଁ ସେ ସମ୍ପର୍କରେ ଟିକନିକ୍ ଖବର ସଂଗ୍ରହ କରିଛି ଟିମ୍ ।
ମିରାବାଲି ପଞ୍ଚାୟତ ପରେ ଦୁର୍ଗାପାଡୁ ପଞ୍ଚାୟତର ଡଙ୍ଗରିତୁଳସୀ, ପାଙ୍ଗାତୁଳସୀ ଗାଁ ପରିଦର୍ଶନ କରି ଗାଁରେ ଲାଗିଥିବା ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ ବିଡିଓ ଓ ତହସିଲଦାର । ଏହା ପରେ ବୈରାଗୀହାଲୁଆ ପଞ୍ଚାୟତର ସାନଲୁକୁଟି ଗ୍ରାମ ଅଭିମୁଖେ ଯାଇଥିଲା ଟିମ୍ । ତେବେ ଏହି ଗାଁକୁ ଯିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ରାସ୍ତା ନଥିବାରୁ ଆନ୍ଧ୍ରପ୍ରଦେଶର ଗାଁ ଦେଇ ଟିମ୍ ସାନଲୁକୁଟିରେ ପହଞ୍ଚିଥିଲା । ରାସ୍ତାରେ ଯିବା ସମୟରେ ସୀମା ଚିହ୍ନଟକରଣ ପିଲର୍ ଓ ଅନ୍ୟ କିଛି ଦିଗ ପ୍ରତି ଟିମ୍ ଧ୍ୟାନ ଦେଇଥିଲା । ଶେଷରେ ଗାଜିଗାଁ ପଞ୍ଚାୟତର ଜାଙ୍ଗେସୁ, ଆଚବା, ଗଣ୍ଡାୱାଲସା ଗ୍ରାମରେ ସ୍ଥିତି ସମୀକ୍ଷା ପରେ ଟିମ୍ ସନ୍ଧ୍ୟାରେ ରାୟଗଡା ଅଭିମୁଖେ ଫେରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ