ରାୟଗଡା: ରାଜ୍ୟ ଖାଦ୍ୟ କମିଶନ ପ୍ରମୋଦ କୁମାର ମେରକାପ ଆଜି (ଶୁକ୍ରବାର) ଦିନିକିଆ ରାୟଗଡ଼ା ଗସ୍ତ କରିଛନ୍ତି । ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ କେଉଁ ପ୍ରକାର ପୁଷ୍ଟିକର ଖାଦ୍ୟ ଦିଆଯାଉଛି, ସେମାନଙ୍କର କିଭଳି ସୁରକ୍ଷା ପ୍ରତି ଦୃଷ୍ଟି ରଖାଯାଉଛି ତାହାର ଅନୁସନ୍ଧାନ କରିବା ପାଇଁ ରାୟଗଡ଼ା ବ୍ଲକରେ ଆଇଆଇସିଏଫ କାର୍ଯ୍ୟକ୍ରମ, ସୁଲଭ ମୂଲ୍ୟ ଦୋକାନ, ଅଙ୍ଗନବାଡ଼ି କେନ୍ଦ୍ର, ପୁଷ୍ଟି ବଗିଚା, ରୋଷେଇ ବଗିଚା ଓ ଶିଶୁ ଯତ୍ନ ଗୋଷ୍ଠୀ ଗୁଡ଼ିକର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ।
ସେହିଭଳି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରି ଜନ୍ମରୁ ୫ ବର୍ଷ ମଧ୍ୟରେ ଓଜନ କମ ଯୋଗୁଁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ସହ ଅନ୍ୟାନ୍ୟ ବ୍ୟବସ୍ଥା ବୁଲି ଦେଖିଥିଲେ । ସେ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ବେଳେ ମେଡ଼ିକାଲ ପରିସରରେ ଏକ ପୁଷ୍ଟିକର ବଗିଚା କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ କମିଶନଙ୍କ ଏହି ଗସ୍ତ ବେଳେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ କମିଶନ ସଭ୍ୟ ଡି.ଏନ ପାଢ଼ୀ, ସମ୍ପାଦକ ଶିବାନୀ ମହାନ୍ତି ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ