ରାୟଗଡା:ଏକାଠି ରଙ୍ଗର ପର୍ବ ହୋଲି ପାଳିବା ପୂର୍ବରୁ ପରିବାରରେ ଆଖିବୁଜିଲେ ୨ ଜଣ ସଦସ୍ୟ । ଆଉ ୩ଜଣ ଏବେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦର ମହକୁମା ଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି(ଗୁରବାର)ଦୟାନିଧି ବେହେରାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ପାଟି କରିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଶାଶୁ ଲକ୍ଷ୍ମୀ ବେହେରା, ଶ୍ବଶୁର ଦୟାନିଧି ବେହେରା, ସ୍ବାମୀ ଶ୍ରୀକାନ୍ତ ବେହେରା, ଦିଅର ଅନୀଲ ବେହେରା ଯାଇ ନିଆଁରେ ପୋଡ଼ି ହୋଇଯାଇଥିଲେ । ପରେ ସମସ୍ତଙ୍କ ପାଟି ଶୁଣି ପଡୋଶୀ ଓ ଗ୍ରାମବାସୀ ୪ ଜଣଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବା ଯୋଗୁଁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା ବାଟରେ ପ୍ରଥମେ ଘର ମୁଖ୍ୟା ଦୟାନିଧି ବେହେରା ଏବଂ ଡାକ୍ତରଖାନାରେ ପହଞ୍ଚିବା ପରେ ସ୍ତ୍ରୀ ଲକ୍ଷ୍ମୀ ବେହେରାଙ୍କର ମୃତ୍ୟୁ ଘଟିଛି । ଏବେ ମଧ୍ୟ ମଝିଆ ପୁଅ ଅନିଲ ବେହେରା ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ, ସାନ ପୁଅ ଶ୍ରୀକାନ୍ତ ବେହେରା ଓ ବହୁ ସ୍ବପ୍ନା ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏନେଇ ଖବର ପାଇ ଥାନା ଅଧିକାରୀ ସୁକୁମା ହଂସୁଦା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ