ରାୟଗଡା: ମୁନିଗୁଡା ରେଞ୍ଜରେ ହାତୀ ଉପଦ୍ରବ । ରାତିରେ ଗାଁରେ ହାତୀପଲ ପଶି କଲେ ଆତଙ୍କ । ଭାଙ୍ଗିଲେ ଘର ଭାଗ୍ୟବଶତଃ ବଞ୍ଚିଗଲେ ମହିଳା । ହାତୀପଲରେ 3 ଦନ୍ତା ହାତୀ ସହ 13ଟି ମାଈ ହାତୀ ଥିବା ଜଣାପଡିଛି ।
ଜିଲ୍ଲାର ମୁନିଗୁଡା ରେଞ୍ଜ ଅଧିନସ୍ଥ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀପଲ ପଶି ଗାଁ ନିକଟରେ ଥିବା 2ଟି ଘର ଭାଙ୍ଗି ଦେବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଯଶୋଦା ସାହୁ ନିଜ ଘରେ ଶୋଇଥିବାବେଳେ ହାତୀପଲ ଆସି ତାଙ୍କ ଘର ଭାଙ୍ଗି ଦେବା ସହ ଘରର ଆସବାବପତ୍ର ନଷ୍ଟ କରି ଦେଇଥିଲେ । ହାତୀକୁ ଦେଖି ଯଶୋଦା ବେହୋଶ ହୋଇ ଯାଇଥିଲେ ତେବେ ଯଶୋଦାଙ୍କ କିଛି କ୍ଷତି କରିନାହାଁନ୍ତି । ଏତଦ ବ୍ୟତୀତ ସୋଲାର ପ୍ଲେଟ, ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି ।
ଖବର ପାଇ ମୁନିଗୁଡା ବନ ବିଭାଗର ଅଧିକାରୀମାନେ ଗାଁରେ ପହଞ୍ଚି ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବନବିଭାଗ ଅଧିକାରୀ । ସେପଟେ ବନବିଭାଗର ଏକ ତାଲିମପ୍ରାପ୍ତ ଟିମ ହାତୀପଲ ଉପରେ ନଜର ରଖିଛନ୍ତି । ହାତୀପଲ ବର୍ତ୍ତମାନ ନିକଟ ନିୟମଗିରି ପାହାଡରେ ରହିଥିବାବେଳେ ହାତୀପଲରେ 3 ଦନ୍ତା ହାତୀ ସହ 13 ଟି ମାଈ ହାତୀ ଥିବା ଜଣାପଡିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ