ରାୟଗଡ଼ା: ମଦ ନିଶାରେ ନିଜ ଶାଶୁଙ୍କ ଗଳା କାଟି ହତ୍ୟା କଲା ଜ୍ବାଇଁ । ରାୟଗଡ଼ା ସହରର ଗୌତମ ନଗରରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ ଗଙ୍ଗାମା ଗରଡିଆ (୫୧) ।
ସୂଚନା ଅନୁସାରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କସ୍କାଡାଙ୍ଗ ଗ୍ରାମରେ ଗଙ୍ଗାମାଙ୍କ ନିଜ ଘର । ତେବେ ସେ କିଛି ଦିନ ହେବ ରାୟଗଡ଼ା ସହରର ଗୌତମ ନଗରରେ ଏକ ଭଡାଘରେ ରହୁଥିଲେ । ଗଙ୍ଗାମାଙ୍କ ସାନ ଝିଅଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ବଡମଟକାବାଡି ଗ୍ରାମର ନବୀନ କନ୍ଧପାଣି ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ନବୀନ ମଦ ପିଇ ସବୁବେଳେ ପତ୍ନୀକୁ ମାରପିଟ୍ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଗତକାଲି ନବୀନ ରାୟଗଡ଼ା ଆସି ଶାଶୁ ଘରେ ରହିଥିଲା । ଆଜି ଅପରାହ୍ନରେ ପୁଣି ମଦ୍ୟପାନ କରି ଘରକୁ ଆସି ଶାଶୁ ଓ ପତ୍ନୀ ସହିତ ଝଗଡ଼ା କରିଥିଲା ।
ଏହାପରେ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ନବୀନ ଏକ ଛୁରୀ ଆଣି ଶାଶୁଙ୍କ ଗଳା କାଟିବା ସହ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶାଶୁ ଗଙ୍ଗାମାଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ରାୟଗଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ତେବେ ହତ୍ୟାକାଣ୍ଡ ଭିଆଇଥିବା ଜ୍ବାଇଁ ନବୀନ କନ୍ଧପାଣି ଫେରାର ହୋଇଯାଇଥିବା ଜଣାପଡ଼ିଛି । ତାକୁ ଧରିବା ସହ ତଦନ୍ତ କରାଯାଉଥିବା ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସ କହିଛନ୍ତି ।
ଇଟିଭି ଭାରତ, ରାୟଗଡ଼ା