ରାୟଗଡା: ଜିଲ୍ଲାରେ କୋରୋନା ମୃତକଙ୍କ ଶେଷକୃତ୍ୟକୁ ନେଇ ବିବାଦ । ଜନବସତି ପାଖ ଝଙ୍କାରି ଗୁଡି ନିକଟରେ ଆକ୍ରାନ୍ତଙ୍କ ମୃତଦେହ ପୋତିବାରୁ ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ 3 ଖଣ୍ଡ ଗ୍ରାମବାସୀ ପ୍ରଶାସନର ଏପରି ନିଷ୍ପତ୍ତିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାୟଗଡା ବ୍ଲକ ବାଇସିଂ ପଞ୍ଚାୟତର ଜୁରୁଡି ଗାଁ ନିକଟରେ ଗତକାଲି ରାତିରେ ପ୍ରଶାସନ ପକ୍ଷରୁ କୋରୋନା ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ପାର୍ଶ୍ବ ଦେଇ 15 ଖଣ୍ଡ ଗ୍ରାମବାସୀ ଯାତାୟାତା କରୁଥିବାବେଳେ ଗାଁ ଲୋକଙ୍କ ଝାଙ୍କିରି ଠାକୁରାଣୀଙ୍କ ପୀଠସ୍ଥଳୀ ମଧ୍ୟ ରହିଛି ।
ଗାଁ ଲୋକଙ୍କ କହିବାନୁସାର, ଗାଁରେ କୌଣସି ଲୋକଙ୍କ ମୃତ୍ୟୁ ହେଲେ ଗ୍ରାମବାସୀ ଅନ୍ୟତ୍ର ନେଇ ଶେଷକୃତ୍ୟ କରୁଛନ୍ତି । ଏଭଳି ସ୍ଥଳେ ପ୍ରଶାସନ ପକ୍ଷରୁ ଝଙ୍କାରି ଗୁଡି ନିକଟରେ ମୃତକଙ୍କ ଶେଷକୃତ୍ୟ କରାଯିବା ଠିକ୍ ନୁହେଁ । ଏହାଦ୍ବାରା ଆଦିବାସୀଙ୍କ ଧର୍ମଭାବନା ଉପରେ ପ୍ରଭାବ ପକେଇଛି ବୋଲି ଅଭିଯୋଗ ହୋଇଛି । ଆଗାମୀ ଦିନରେ ଅନ୍ତତପକ୍ଷେ ଆଦିବାସୀ ଅଞ୍ଚଳର ଧର୍ମାନୁଷ୍ଠାନ ନିକଟରେ ଏପରି ନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ